ଗଞ୍ଜାମରେ ଶିଶୁକନ୍ୟା ଅସୁରକ୍ଷିତ, ଶିଶୁକନ୍ୟାର ମୃତଦେହ ଉଦ୍ଧାର
ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମରେ ଶିଶୁକନ୍ୟା ଅସୁରକ୍ଷିତ । କାହିଁକି ନା ପୋଲିସ ରେକର୍ଡ ଅନୁସାରେ ଗତ ବର୍ଷ ବହୁ ଶିଶୁ ନିଖୋଜ ଥିବା ପୋଲିସ ଏଫ୍ଆଇଆର୍ରେ ମାମଲା ରୁଜୁ ହୋଇଥିବା ବେଳେ ସେଥି ମଧ୍ୟରୁ ଅଦ୍ୟାବଧି ବହୁ ଶିଶୁଙ୍କର ପତ୍ତା ପାଇ ପାରୁନି ଗଞ୍ଜାମ ପୋଲିସ । ନିକଟରେ ସୋରଳରେ ଏକ ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଉଦ୍ୟମ କରିବା ଭଳି ଘଟଣା ପରେ ପୁଣି ଗଞ୍ଜାମ ଜିଲ୍ଲାର ଗଂଜାମ ଥାନା ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଶିଶୁକନ୍ୟାର ମୁଣ୍ଡ କଟା ଯାଇ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଶିଶୁର ବୟସ ପାଖାପାଖି ଦୁଇବର୍ଷ ହେବ । ତାର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିବା ପରେ ହତ୍ୟାକାରୀ ରେଳ ଧାରଣାରେ ପକାଇଦେଇଥିବା ଅନୁମାନ କରାଯାଉଛି । ଶିଶୁକନ୍ୟାଟିର ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ତେବେ ଏହା ଏକ ନରବଳି ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।


