ଲିଙ୍ଗ ନିରୂପଣ ଅଧିନିୟମର ଜିଲ୍ଲା ଉପଦେଷ୍ଟା କମିଟି ବୈଠକ
ବାଲେଶ୍ୱର (ସରୋଜ ପଣ୍ଡା): ଆଜି ଅପରାହ୍ନ ୫ଘଟିକା ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଗଠିତ ଜିଲ୍ଲା ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗ ନିରୂପଣ ଅଧିନିୟମକୁ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ କରାଯାଇଛି ଏବଂ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଗତ ଜାନୁଆରୀ ମାସରୁ ସମସ୍ତ ଅଲଟ୍ରାସାଉଣ୍ଡ ମେସିନ ଏବଂ କ୍ଲିନିକର ପଞ୍ଜୀକରଣ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏଣିକି ଅଫଲାଇନରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ଜାନୁଆରୀ, ୨୦୨୧ ପୂର୍ବରୁ ଅଫଲାଇନରେ ହୋଇଥିବା ଆବେଦନଗୁଡିିକ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ କ୍ଲିନିକ୍ କର୍ତୃପକ୍ଷଙ୍କ ଦ୍ୱାରା ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ସେମାନଙ୍କ ପଞ୍ଜୀକରଣ ନବୀକରଣ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଅଲଟ୍ରାସାଉଣ୍ଡ ମେସିନ୍ ପାଇଁ ଏଣିକି ନୈଦାନିକ ସ୍ଥାପନ ଅଧିନିୟମ ପ୍ରମାଣପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟ ସାର୍ଟିଫିକେଟ୍) ପ୍ରଦାନ କରିବା ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ସମେତ ଅନ୍ୟାନ୍ୟ କ୍ଲିନିକ୍ ମାନଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିବାକୁ ହେବ । ଅନ୍ୟଥା ସେମାନଙ୍କ ପଞ୍ଜୀକରଣ ଅଥବା ନବୀକରଣ ହୋଇପାରିବ ନାହିଁ । ଏଣୁ ଜିଲ୍ଲାର ସମସ୍ତ କ୍ଲିନିକ୍ ଏହା ଯେପରି ଠିକ୍ ସମୟରେ ପ୍ରଦାନ କରିବେ ସେ ନେଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା । ସେହିପରି ଅନଲାଇନରେ ପଞ୍ଜୀକରଣ ସମୟରେ ଆବଶ୍ୟକତା ମୁତାବକ ସମସ୍ତ କାଗଜପତ୍ରର କପି ଅପଲୋଡ୍ କରିବାକୁ ହେବ । ଅଲଟ୍ରାସାଉଣ୍ଡ କ୍ଲିନିକମାନଙ୍କ ପାଇଁ ଅନଲାଇନରେ ଫର୍ମ-ଏଫ ରେ ରିପୋର୍ଟିଂକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳତା ପାଇଁ ଅଲଟ୍ରାସାଉଣ୍ଡ ମେସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ କିଭିଳି ଅଧିକରୁ ଅଧିକ ଗର୍ଭବତୀଙ୍କର ପରୀକ୍ଷଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଘରୋଇ କ୍ଲିନିକ୍ଗୁଡିକରେ ପ୍ରତିମାସରେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗଙ୍କ ପାଇଁ ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷଣର ଯେଉଁ ପ୍ରାବଧାନ ରହିଛି ତାହାକୁ ସେମାନେ ଯେପରି ପାଳନ କରିବେ ତାହା ସୁନିଶ୍ଚିତ କରିବାକୁ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା । ଅନ୍ୟଥା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଏବଂ ଜଳେଶ୍ୱରର ଜି.କେ.ଭଟ୍ଟର ହସପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍ ସ୍ଥାପନା ପାଇଁ ପ୍ରୋଭିଜନାଲ ରେଜିଷ୍ଟ୍ରେସନ ପ୍ରଦାନ କରାଯାଇଛି । ସେଠାରେ ଖୁବଶୀଘ୍ର ଅଲଟ୍ରାସାଉଣ୍ଡ ପରୀକ୍ଷଣର ସୁବିଧା ଉପଲବଧ ହେବା ନେଇ ସୂଚନା ଦିଆଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ସୋର ହସପିଟାଲରେ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନର ସ୍ଥାପନା କରାଯାଇଛି । ତେବେ କୌଣସି କ୍ଷେତ୍ରରେ ଯେପରି ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ କରା ନ ଯାଏ ତାହା ସୁନିଶ୍ଚିତ କରିବାକୁ ଆଇନ୍କୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ଉପଦେଷ୍ଟା କମିଟିର ସଦସ୍ୟ-ସଦସ୍ୟାମାନେ ମତ ରଖିଥିଲେ । ପ୍ରତି ଅଲଟ୍ରାସାଉଣ୍ଡ କ୍ଲିନିକ ଓ ପରୀକ୍ଷା କେନ୍ଦ୍ରରେ ଲିଙ୍ଗ ନିରୂପଣ ଅଧିନିୟମ ସଂକ୍ରାନ୍ତରେ ପୋଷ୍ଟର ଓ ହୋର୍ଡିଂ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଯେଉଁ କ୍ଲିନିକ କର୍ତୃପକ୍ଷ ନିୟମରେ ଖିଲାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଜୋରିମାନା ଲାଗି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିସ୍ôାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ଉପଦେଷ୍ଟା କମିଟିର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଏଡିଏମଓ(ମେଡିକାଲ) ଡା. ସୁଶାନ୍ତ ନାୟକ, ଭେଷଜ ବିଶେଷଜ୍ଞ ଡା ମୃତ୍ୟୁଞ୍ଜୟ ମିଶ୍ର, ସମାଜସେବୀ ଡା. ମୀରା ପତି, ଲୀନା ପାଣିଗ୍ରାହୀ, ଡା. ଓମ୍ ଅଭିଷେକ ଦାସ, ଡା. ବି. ଦାଶ, ହସପିଟାଲ ମ୍ୟାନେଜର ଶ୍ରୀ ସଚ୍ଚିଦାନନ୍ଦ ପାଢୀ, ଡିଏମଆରସିଏଚ ଏଲିନା ସାମଲ, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ବେଳେ ଆସିଷ୍ଟାଂଟ ମ୍ୟାନେଜର(ଆଇ.ଇ.ସି) ଶ୍ରୀ ସନ୍ତୋଷ କୁମାର ବେହେରା ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।


