ଟୋକନ୍ ଲାପ୍ସ ପରେ ମଣ୍ଡିରୁ ଧାନ ନେଇ ବାହାରେ ବିକ୍ରି କରୁଛନ୍ତି ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ଏବେ ବିଭିନ୍ନ ମଣ୍ଡିରେ ଟୋକନ୍ ଲାପ୍ସ କରିବା ପରେ ଚାଷୀ ମାନେ ମଣ୍ଡିରୁ ଧାନ ନେଇ ବାହାର ବଜାରରେ ବିକ୍ରୟ କରୁଥିବା ଦେଖାଯାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ବନ୍ତ ବ୍ଲକର ୧୦ଟି ସେବା ସମବାୟ ସମିତି ଓ ୭ଟି ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଉଥିଲା । ମାତ୍ର ଗତ ଜାନୁଆରୀ ୨୭ ପର୍ଯ୍ୟନ୍ତ ଟୋକନ୍ ପାଇଥିବା ଚାଷୀ ମାନଙ୍କ ଧାନ ମଣ୍ଡିରେ କ୍ରୟ ହୋଇଥିବା ବେଳେ ଜାନୁଆରୀ ୨୯ ଓ ଫେବୃଆରୀ ୧ରେ ଟୋକନ ପାଇଥିବା ଚାଷୀଙ୍କ ଧାନ କ୍ରୟ କରାଯାଇନଥିଲା । ଫଳରେ ବିଭିନ୍ନ ମଣ୍ଡିରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଳ୍ପ ଟାର୍ଗେଟ ଆସିବାରୁ ଜାନୁଆରୀ ୨୯ ଓ ଫେବୃଆରୀ ୧ ଟୋକନରେ ଚାଷୀଙ୍କ ଧାନ କିଛିଟା କ୍ର୍ରୟ କରାଯାଇଥିଲା । ମାତ୍ର ଫେବୃଆରୀ ୩ ଓ ୫ରେ ଟୋକନ୍ ପାଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଇନଥିଲା । ଫଳରେ ସେମାନଙ୍କ ଟୋକନ ଗୁଡିକ ଲାପ୍ସ କରିଯାଇଥିଲା । ଏଥିନେଇ ବିଭିନ୍ନ ମଣ୍ଡିରେ ହୋହାଲ୍ଲା ହେବା ସହ ଚାଷୀ ମାନେ ରାସ୍ତାରେ ଧାନ ପକାଇ ଆନ୍ଦୋଳନ କରିଥିଲେ । ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଶ୍ଚ ସ୍ୱଳ୍ପ ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟରେ କେବଳ ଫେବୃଆରୀ ୮ରେ ଟୋକନ୍ ଥିବା ଚାଷୀ ମାନେ ଧାନ ବିକ୍ରୟ କରି ପାରିଥିଲେ । ପରେ ଆବଶ୍ୟକ ଟାର୍ଗେଟ ନଆସିବାରୁ ଫେବୃଆରୀ ୧୦ରେ ଥିବା ସମସ୍ତ ଟୋକନ୍ ଗୁଡିକ ଲାପ୍ସ କରିଯାଇଛି । ମଣ୍ଡିରେ ଚାଷୀ ମାନେ ଦୀର୍ଘ ୧ ମାସ ଧରି ଧାନ ପକାଇଥିବା ବେଳେ ଧାନ କିଣା ନଯିବା ଫଳରେ ଟୋକନ୍ ଗୁଡିକ ଲାପ୍ସ କରିବା ଯୋଗୁ ଚାଷୀ ମାନେ ଏବେ ବାଧ୍ୟ ହୋଇ ଧାନକୁ ଘରକୁ ଆଣିବା ସହ ବାହାର ବେପାରୀଙ୍କୁ ଶାଗମାଛ ଦରରେ ବିକ୍ରୟ କରୁଥିବା ଦେଖାଯାଇଛି । କାରଣ ୧ ମାସ ହେବ ଧାନବସ୍ତା ଗୁଡିକ ମଣ୍ଡି ପଡି ଖରାକାକର ଖାଇବା ସହ ଏବେ ଅଦିନିଆ ଝଡତୋଫାନରେ ଧାନ ଗୁଡିକ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ କରିବା ପାଇଁ ଚାଷୀ ପଞ୍ଜୀକରଣ କରାଇ ଟୋକନ୍ ପ୍ରଦାନ କରିଥିଲେ ମଧ୍ୟ ଗରିବ ଚାଷୀଟିଏ ସୁରୁଖୁରୁରେ ଧାନ ମୁଠାଏ ବିକ୍ରି କରିବାରୁ ବଞ୍ôଚତ ହୋଇଛି । ସରକାର ଯଦି ଖୋଲା ମାର୍କେଟରେ ଧାନ ବିକିବା ପାଇଁ ବ୍ୟବସ୍ଥା କରନ୍ତେ ତେବେ ଚାଷୀ ମାନଙ୍କୁ ଏଭଳି ହିନସ୍ତା ହେବାକୁ ପଡନ୍ତା ନାହିଁ । ଅପରପକ୍ଷେ ସରକାର ଧାନ କିଣିବା ପାଇଁ ଟୋକନ୍ ପ୍ରଦାନ କରୁଥିଲେ ମଧ୍ୟ ଧାନ କିଣିବାରେ ଅସୁବିଧା କେଉଁଠି ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି ।


