କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ୱାଇଏନ୍ଏସ୍):ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ସମାପ୍ତ ହେବା ସହିତ ମନୋରଞ୍ଜନ ଶିଳ୍ପ ସିନେମା ସହିତ କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବ । ଚଳଚ୍ଚିତ୍ର , ମିଡିଆ ଏବଂ ମନୋରଞ୍ଜନ ଶିଳ୍ପ ରେ ରାଜ୍ୟବାସୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହି ପ୍ରକଳ୍ପର ଅବଧାରଣା ଓ ମାଷ୍ଟର ପ୍ଲାନ୍ ଆନ୍ତର୍ଜାତିକ ପରାମର୍ଶଦାତା ସଂସ୍ଥା ମେସର୍ସ ଗ୍ରାଂଟ ଥର୍ଣ୍ଣଟନ୍ ଭାରତ ଏଲ୍ଏଲ୍ପି ଦ୍ୱାରା ପ୍ରସ୍ତୁତ ହୋଇଛି । ଇଡ୍କୋ ପ୍ରକଳ୍ପ ନିର୍ମାଣକୁ କାର୍ଯ୍ୟକାରୀ କରିବ ଏବଂ ୨୦୨୨ ଡିସେମ୍ବର ସୁଦ୍ଧା ପ୍ରମୁଖ ସହଯୋଗୀ ଇଲାକାର ଲ୍ୟାଣ୍ଡସ୍କେପିଂ ସମେତ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଇଛି । ଏହା ଫଳରେ ଚଳଚ୍ଚିତ୍ର, ମିଡ଼ିଆ ଓ ମନୋରଞ୍ଜନ ଶିଳ୍ପରେ ୨୦୦୦ ଲୋକଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ସାଙ୍ଗକୁ ୧୦ ହଜାରରୁ ଊର୍ଦ୍ଧ୍ୱ୍ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି । ଏହି ଶିଳାନ୍ୟାସ ଉତ୍ସବରେ ଶକ୍ତି ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତ ିଥିଲେ ।


