ସ୍ୱପ୍ନ ପାଇଁ ଅର୍ଥ ନିଅଣ୍ଟ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେଉଛନ୍ତି ସୁରେନ୍ଦ୍ର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; କଥାରେ ଅଛି ସୁନା ଥଲେ କାନ ନାହିଁ, କାନ ଥିଲେ ସୁନା ନାହିଁ । ନିଜର ଅଧ୍ୟବ୍ୟବସାୟ, ପରିଶ୍ରମ, ଯୋଗ୍ୟତା ଓ ଉତ୍ସାହ ରହିଥିଲେ ସୁଦ୍ଧା ସ୍ୱପ୍ନକୁ ସାକାର କରିବା ପାଇଁ ନିଅଣ୍ଟ ପଡୁଛି ଅର୍ଥ । ଜିଲ୍ଲା, ବ୍ଲକ ତଥା ରାଜ୍ୟର ନାଁକୁ ଉପରକୁ ନେବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ପ୍ରୋତ୍ସାହନ ଅଭାବରୁ ଅନେକ ଯୁବକ ଅଧା ରାସ୍ତାରୁ ମୁହଁ ଫେରାଇ ଆଣୁଛନ୍ତି । ଏହା ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରଚେଷ୍ଟା ଯୋଗୁ ପାରଦର୍ଶିତା ଲାଭ କରିଥିବା କିଛି ଯୁବକ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଦିନ ରାତି ଲାଗି ପଡିଛନ୍ତି । ଏମିତି ଜଣେ ଅନନ୍ୟ ଯୁବକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ଗ୍ରାମର ଭାଗବତ ଦାସଙ୍କ ପୁଅ ସୁରେନ୍ଦ୍ର(ଧୁସା) । ସୁରେନ୍ଦ୍ର ରହଣିଆ ସ୍କୁଲରୁ ମାଟ୍ରିକ ପାସ ପରେ ଦୀର୍ଘ ୧୧ବର୍ଷ ହେବ ଭୁବନେଶ୍ୱର ସ୍ଥିତ ଭରତପୁର ଠାରେ ସ୍ଥାୟୀ ଭାବେ ସପରିବାର ବସବାସ କରିଆସୁଛନ୍ତି । ବାପା, ମାଆ, ଭାଇ, ଭାଉଜ, ପତ୍ନୀ ଓ ଛୋଟ ପୁଅକୁ ନେଇ ତାଙ୍କର ପରିବାର । ସୁରେନ୍ଦ୍ର ପେଶାରେ ଜଣେ ଆଲୁମିନିୟମ ମିସ୍ତ୍ରୀ ହୋଇଥିଲେ ସୁଦ୍ଧା ନିଶାରେ କିନ୍ତୁ ବଡିବିଲ୍ଡିଂ ପ୍ରତିଯୋଗିତା ପାଇଁ ସଦାସର୍ବଦା ତତ୍ପର ଥାଆନ୍ତି । ବୃତ୍ତିଗତ ଜୀବନରୁ ସମୟ ବାହାର କରି ପ୍ରତ୍ୟକ ଦିନ ସକାଳୁ ସେ ନିଜସ୍ୱ ଖର୍ଚ୍ଚରେ ଜିମ ଯାଉଥିବାବେଳେ ଏଥିପାଇଁ ମାସକୁ ଦେୟ ଭାବେ ୧ହଜାର ଟଙ୍କା ପ୍ରଶିକ୍ଷଣ କେନ୍ଦ୍ରରେ ଦେଇଥାଆନ୍ତି । ଏହାସହିତ ଦେହର ଗଠନମୂଳକ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ଉପରେ ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ କରିଥାଆନ୍ତି । ୬୦ରୁ୬୫କେଜି ବଡିବିଲ୍ଡିଂ ଖେଳରେ ସେ ଭାଗ ନେଇଥିବାବେଳେ ଅନେକ ପୁରସ୍କୃତ ହୋଇଛନ୍ତି । ୩ବର୍ଷ ହେବ ବିଦ୍ଧିବଦ୍ଧ ଭାବେ ପ୍ରଶିକ୍ଷଣ ଗ୍ରହଣ କରି ସୁରେନ୍ଦ୍ର ପ୍ରାୟ ୯ଗୋଟି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେଇସାରିଲେଣି । ତନ୍ମଧ୍ୟରୁ ସେ ସାତଗୋଟି ପ୍ରତିଯୋଗିତାରେ ବିଜୟ ଲାଭ କରି ନିଜର ଉତ୍ସାହ ଉଦ୍ଦିପନାକୁ ଏଦିଗରେ ବଢାଇ ଚାଲିଛନ୍ତି । ଏବେ ସେ ଖୋର୍ଦ୍ଧା ଜିଲ୍ଲାରୁ ଓଡିଶାର ଯେ କୌଣସି ସ୍ଥାନରେ ପ୍ରତିଯୋଗିତାରେ ଭାଗନେଉଥିବାବେଳେ ଆଗକୁ ରାଜ୍ୟ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତ୍ୱ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଏସବୁ ଦିଗରେ ସରକାରୀ ପ୍ରୋତ୍ସାହନ ସହିତ ବ୍ୟାପକ ଅର୍ଥର ଦରକାର ଥିବାରୁ ସୁରେନ୍ଦ୍ର ଆଗକୁ ପାଦ ବଢାଇବା ପାଇଁ ସାହାସ କରିପାରୁନାହାଁନ୍ତି । ତେଣୁ ସରକାରୀ ସ୍ତରରେ ଆର୍ଥିକ ପ୍ରୋତ୍ସାହନ ସହିତ ବିଦ୍ଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଗଲେ ସୁରେନ୍ଦ୍ର ଯେ ରାଜ୍ୟ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଆଣିଦେବ ଏଥିରେ ସନ୍ଦେହ ନାହିଁ ।


