ରଙ୍ଗରେ ପରିବେଶ ସୁରକ୍ଷାର ବାର୍ତ୍ତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରଙ୍ଗ, ପ୍ରେମ, ଭାଇଚାରାର ପର୍ବ ହେଉଛି ହୋଲି । ଯାହାକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଦେଖିବାକୁ ମିିଳିଥାଏ । ଗାଁଠୁ ସହର ସମସ୍ତେ ପାଳନ କରିଥାନ୍ତି ଏ ରଙ୍ଗର ପର୍ବ ହୋଲି । ଏହି ପର୍ବରେ ସମସ୍ତଙ୍କ ମୁହଁରେ ରଙ୍ଗ ବରଷେ । ରଙ୍ଗ ଲଗାଇ ପରସ୍ପରକୁ ଜଣାନ୍ତି ହୋଲି ଶୁଭେଚ୍ଛା । ଚଳିତବର୍ଷ ମହାମାରୀ କରୋନା ରଙ୍ଗ ଓ ଭାଇଚାରାର ପର୍ବକୁ ଫିକା କରିଦେଇଛି । ରଙ୍ଗଖେଳ ଉପରେ ଲାଗିଛି ରୋକ । ସର୍ବସାଧାରଣ ସ୍ଥାନରେ ରଙ୍ଗ ନଖେଳି ଏଥର ଘରେ ଅର୍ଥାତ୍ ପରିବାର ସହ ନିରାପଦ ଓ ସୁରକ୍ଷିତ ରୂପେ ରଙ୍ଗର ପର୍ବ ପାଳନ କରିବା ପାଇଁ ସଭିଙ୍କ ପାଇଁ ରହିଛି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ଏଭଳି ସ୍ଥିତିରେ ଏ ରଙ୍ଗର ପର୍ବ ହୋଲି ପାଳନକୁ ନେଇ ସ୍ମାର୍ଟନଗରୀ ଭୁବନେଶ୍ୱରର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରଙ୍ଗ ବେରଙ୍ଗ ମୁରୁଜରେ ଇକୋ-ଫ୍ରେଣ୍ଡଲି ହୋଲିର ବଳିଷ୍ଠ ବାର୍ତ୍ତା ଦେଇ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି । ସେ ଦର୍ଶାଇଛନ୍ତି ମଣିଷ ପାଇଁ ପ୍ରକୃତିର ଶ୍ରେଷ୍ଠ ଓ ମୂଲ୍ୟବାନ ଉପହାର ହେଉଛି ଗଛ । ଏଣୁ ବୃକ୍ଷକୁ ମଧ୍ୟ ଜୀବନ ବୋଲି କୁହାଯାଏ । ବିଭିନ୍ନ ମୁରୁଜକୁ ବ୍ୟବହାର କରି ସେ ତିଆରିଛନ୍ତି ଏକ ବୃକ୍ଷ । ବିଭିନ୍ନ ରଙ୍ଗରେ ବୃକ୍ଷଟି ରଙ୍ଗେଇ ହୋଇ ବଖାଣୁଛି ପ୍ରକୃତିର ଅନନ୍ୟ ସୃଷ୍ଟି ରଙ୍ଗକୁ । ରଙ୍ଗର ଗନ୍ତାଘର ହେଉଛି ପ୍ରକୃତି । ଯାହା ବିଭିନ୍ନ ଗଛ, ପତ୍ର, ଫୁଲ ଏବଂ ମାଟିରୁ ପ୍ରସ୍ତୁତ ହୋଇଥାଏ । ଯେପରି ହଳଦୀ, ଡ଼ାଲିଆଫୁଲ, ମନ୍ଦାର ଫୁଲ, ଲାଲ ଚନ୍ଦନ, ଚାଉଳଗୁଣ୍ଡ, ଡ଼ାଳିମ୍ବ ଚୋପା, ନିମ୍ବ, ପାଳଙ୍ଗ, ମଞ୍ଜୁଅତି ପତ୍ର, ବେସନ ଇତ୍ୟାଦିରୁ ବିଭିନ୍ନ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ ହୋଇଥାଏ । ପୂର୍ବରୁ ଏ ସବୁ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରାଯାଇ ରଙ୍ଗର ପର୍ବକୁ ପାଳନ କରାଯାଉଥିଲା । ଏସବୁ ରଙ୍ଗରେ ଭରି ରହିଥାଏ ରୋଗ ପ୍ରତିରୋଧକ ଶକ୍ତି ଏବଂ ଔଷଧୀୟ ଗୁଣ । କାଳକ୍ରମେ ଏହାର ସ୍ଥାନ ନେଇଥିଲା ମାରାତ୍ମକ କୃତ୍ରିମ ରାସାୟନିକ ରଙ୍ଗ । ଏ ରଙ୍ଗର ବ୍ୟବହାର ଦ୍ୱାରା ମାରାତ୍ମକ କ୍ୟାନ୍ସର ରୋଗଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ ରୋଗ ସୃଷ୍ଟି ହୋଇଥାଏ । ଏଣୁ ରାସାୟନିକ ରଙ୍ଗଠାରୁ ଦୂରରେ ରହି ପ୍ରାକୃତିକ ରଙ୍ଗ ବ୍ୟବହାର କରି ନିରାପଦ ଓ ସୁରକ୍ଷିତ ହୋଲି ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପ୍ରାକୃତିକ ଦ୍ରବ୍ୟରୁ ପ୍ରସ୍ତୁତ ଫଗୁ ବ୍ୟବହାର ପାଇଁ ସେ ବି ପରାମର୍ଶ ଦେଇଛନ୍ତି । ଯଦ୍ୱାରା ବାୟୁ ଓ ଜଳ ପ୍ରଦୂଷଣକୁ ରୋକିପାରିବା, ଜଳଜ ଉଦ୍ଭିଦ ଓ ଜଳଚର ପ୍ରାଣୀଙ୍କ ଜୀବନ ରକ୍ଷା କରିପାରିବା ବୋଲି ସୁଶାନ୍ତ ଏହି ମର୍ମରେ କହିଛନ୍ତି । ରଙ୍ଗର ପର୍ବକୁ କ୍ଲିନ୍ ହୋଲି-ଗ୍ରୀନ୍ ହୋଲି ରୂପେ ସମସ୍ତେ ପାଳନ କରନ୍ତୁ ବୋଲି ସାହୁ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ