ଚାଷୀ ଓ ଶ୍ରମିକଙ୍କୁ ବୀମାଭୁକ୍ତ କରିବ ରାଜ୍ୟ ଶ୍ରମିକ କୋପରେଟିଭ ସୋସାଇଟି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏଣିକି ଶ୍ରମିକ ଓ ଚାଷୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା କିମ୍ବା ମୃତ୍ୟୁବରଣ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେମାନଙ୍କୁ ବୀମାଭୁକ୍ତ କରିବ ରାଜ୍ୟ ଶ୍ରମିକ କୋପରେଟିଭ ସୋସାଇଟି । ଏନେଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ବୁଢିଯାଗୁଳେଇ ମନ୍ଦିର ପରିସରରେ ଏକ ବୈଠକ ରାଜ୍ୟ ଶ୍ରମିକ କୋପରେଟିଭ ସୋସାଇଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଗରୀବ ଚାଷୀ ଓ ଶ୍ରମିକମାନେ ଆଉ ଚିକିତ୍ସା ପାଇଁ ହଇରାଣ ହରକତ ହେବେନାହିଁ । ସରକାରୀ ଅନୁମତି କ୍ରମେ ଚାଷୀ ଓ ଶ୍ରମିକ ୧୫ଶହ ଟଙ୍କା ଦେଇ ବୀମା କରାଇବେ । ସେଥି ନିମନ୍ତେ ସୋସାଇଟିରେ ପ୍ରତ୍ୟେକ ବୀମାଧାରୀ ଏକ ଆକାଉଁଟ ଖୋଲିବା ସହ ୫ବର୍ଷ ପାଇଁ ୭୫ହଜାର ଟଙ୍କାର ବୀମା କଭର କରିବ । ପ୍ରତ୍ୟେକବର୍ଷ ଚିକିତ୍ସା ବାବଦରେ ବେସରକାରୀ କିମ୍ବା ସରକାରୀ ଚିକିତ୍ସାଳୟରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସିତ ହୋଇପାରିବେ । ସେହିଭଳି ଶ୍ରମିକ ଓ ଚାଷୀଙ୍କ ୧୫ବର୍ଷ ବୟସରୁ କମ ପିଲାଙ୍କ ପାଇଁ ମାତ୍ର ୨ହଜାର ଟଙ୍କା ଦେଇ ବୀମା କଲେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ସେମାନଙ୍କୁ ମିଳିପାରିବ । ବୀମାଧାରୀର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଏକଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ଶ୍ରମିକ କୋପରେଟିଭ ସୋସାଇଟିର ସଂଯୋଜକ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ସ୍ୱରୂପ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଜ୍ଞାନ ଶତପଥୀ, କୈବଲ୍ୟ ଚନ୍ଦ୍ର ପ୍ରଧାନ ପ୍ରମୁଖ ସୋସାଇଟିର କର୍ମଚାରୀମାନେ ଯୋଗଦେଇ ଚାଷୀ ଓ ଶ୍ରମିକମାନଙ୍କୁ ବୀମା ସମ୍ପର୍କରେ ବୁଝାଇ ଅବଗତ କରାଇଥିଲେ ।


