କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ପରୀକ୍ଷାରେ ବେଲଗୁଣ୍ଠା ଛାତ୍ରଙ୍କ କୃତିତ୍ୱ
ଗାଙ୍ଗପୁର, (ସନ୍ତୋଶ ବିଷୋୟୀ ): କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ଇଣ୍ଟରମିଡ଼ିଏଟ ପରୀକ୍ଷାରେ ଉଭୟ ଓଡ଼ିଶା ଏବଂ ସର୍ବ ଭାରତୀୟ ସ୍ତରରେ ବେଲଗୁଣ୍ଠା ମାଟିର ଜଣେ ଛାତ୍ର କୃତିତ୍ୱ ହାସଲ କରି ବେଲଗୁଣ୍ଠା ପାଇଁ ଗର୍ବ ଆଣିଦେଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ନିବାସୀ ସ୍ଵର୍ଗତ ଭି.ନାର୍ଶୁ ପାତ୍ରଙ୍କ ନାତି ତଥା ଭି.ଶଙ୍କର ନାରାୟଣ ପାତ୍ର ଏବଂ ଭି.ଦେବକୀ ପାତ୍ରଙ୍କ ସୁପୁତ୍ର ଭି.ସ୍ଵସ୍ତିକ କୁମାର କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ଇଣ୍ଟରମିଡ଼ିଏଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ 41 ନମ୍ବର୍ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓଡ଼ିଶା ସ୍ତରରେ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ କୃତିତ୍ୱ ହାସଲ କରିଛନ୍ତି I ପ୍ରକାଶ ଥାଉକି ସ୍ଵସ୍ତିକ ଛୋଟ ବେଳୁ ହିଁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଯୁକ୍ତ ଦୁଇ ପରୀକ୍ଷାରେ ସାରା ରାଜ୍ୟରେ ଦଶମ ସ୍ଥାନରେ ଉତ୍ତୀର୍ଣ୍ଣ ହେବା ସହ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଇଣ୍ଟରମିଡ଼ିଏଟ ପରୀକ୍ଷାରେ କୃତିତ୍ୱ ହାସଲ କରିସାରିଛନ୍ତି I ସ୍ଵସ୍ତିକ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ତେଜ୍ ରାଜ୍ ପାଲ୍ ସି.ଏ ଫାର୍ମରେ ଆର୍ଟିକାଲସିପ୍ କରିବାରେ ନ୍ୟସ୍ତ ଅଛନ୍ତି I ଏହା ବେଲଗୁଣ୍ଠାବାସୀଙ୍କ ସହ ତାଙ୍କ ପିତା, ମାତାଙ୍କ ପାଇଁ ଖୁସିର କାରଣ ପାଲଟିଛି I ସ୍ଵସ୍ତିକଙ୍କ ଏହି ସଫଳତାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I


