ହାଇଡ୍ରା କ୍ରେନ୍ ଧକ୍କାରେ ଜଣକର ମୃତ୍ୟୁ: କ୍ଷତିପୂରଣ ଦାବୀରେ ରାଜପଥ ଅବରୋଧ

ଯୋଡା, (ସମୀରରଂଜନ ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଛକ ନିକଟରେ ରବିବାର ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏକ ହାଇଡ୍ରା କ୍ରେନ୍ ଧକ୍କାରେ ସ୍ଥାନୀୟ ଅଂଚଳର ଦୁଃଖୁ ପାତ୍ର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, କେଏମ୍‌ସି ହଟିଂରେ ରହୁଥିବା ଦୁଃଖୁ ପାତ୍ର ବୟସ ପ୍ରାୟ ୫୦ ଜୁରୁଡି ଛକରୁ ବ୍ୟାଙ୍କ ଅଭିମୁଖେ ଆସୁଥିବା ବେଳେ ଏକ ପୋଲ ନିକଟରେ ପଛ ପାଶ୍ୱର୍ରୁ ଆସୁଥିବା ହାଇଡ୍ରା କ୍ରେନ୍ ନଂ ଓଡି୧୬ଡି ୬୭୨୪ ପଛଆଡୁ ଧକ୍କା ଦେଇଥିଲା । ଫଳରେ ଦୁଃଖୁ ପାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ହାଇଡ୍ରା କ୍ରେନ୍‌ଟି ପଳାଇଯିବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକ ହାଇଡ୍ରା କ୍ରେନ୍‌ର ଡ୍ରାଇଭରକୁ କାବୁ କରି ନେଇଥିବା ବେଳେ ହେଲପର ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ପୋଲିସକୁ ଜିମା ଦେଇଥିଲେ ଏବଂ ମୃତକ ପରିବାରଙ୍କୁ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରିଥିଲେ । ପୋଲିସ ବିଳମ୍ବରେ ଆସି ଅବରୋଧକାରୀଙ୍କ ସହ ବୁଝାସୁଝା କରିଥିଲେ ହେଁ ଅବରୋଧକାରୀମାନେ ସେମାନଙ୍କ ଦାବୀରେ ଅଟଳ ରହିଥିଲେ ଏବଂ ଅବରୋଧକୁ ଜାରି ରଖିଥିଲେ । ଏହା ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ଛୋଟବଡ ଯାନବାହନ, ବସ, କମାଣ୍ଡର ଅଟକି ରହିଥିଲା । ଏହା ଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜନସାଧାରଣ ଦ୍ୱାରା ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ