ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବ୍ୟାପକ ଅବ୍ୟବସ୍ଥା, ନିର୍ଦ୍ଧୁମ ଖରାରେ ଗ୍ରାହକ, ସମାଧାନ ପାଇଁ କର୍ତ୍ତୁପକ୍ଷଙ୍କ ଚିନ୍ତା ନାହିଁ
ହାଟଡ଼ିହି (ବିକାଶ ବିଶ୍ୱାଳ): ଏବେ ସରକାର ବ୍ୟାଙ୍କ ଗୁଡିକ ମାଧ୍ୟମରେ ସମସ୍ତ ନେଣଦେଣ କାର୍ଯ୍ୟକାରୀ କରୁଥିବାବେଳେ କିନ୍ତୁ ବ୍ୟାଙ୍କର ଅବ୍ୟବସ୍ଥା ଯୋଗୁଁ ସାଧାରଣ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆରେ ଏହି ଅବ୍ୟବସ୍ଥା ବହୁଦିନ ହେଲା ଲାଗିରହିଥିଲେବି ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଗ୍ରାହକ ମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ବ୍ୟାଙ୍କଟି ବ୍ଲକର ସର୍ବାଧିକ ଗ୍ରାହକ ଥିବା ବ୍ୟାଙ୍କ । ଦୈନଦିନ ପାଞ୍ଚଶହରୁ ଉର୍ଦ୍ଧ ଗ୍ରାହକ ଟଙ୍କା ଦେଣ ନେଣ କରିବାପାଇଁ ଆସିଥାନ୍ତି । ଏପରିକି ପ୍ରତିଦିନ ବ୍ୟାଙ୍କ ଠାରୁ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗି ଯାଉଛି । ଶହଶହ ଲୋକ ଧାଡିରେ ଠିଆ ହୋଇଥିବାବେଳେ ବ୍ୟାଙ୍କ ପକ୍ଷରୁ କେବଳ ଛୋଟିଆ ତମ୍ବୁଟିଏ ମରାଯାଇଛି । ତାହା ଭିତରେ ମାତ୍ର ୧୦ରୁ ୧୫ଜଣ ଲୋକ ଠିଆ ହୋଇପାରିବେ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାବେଳେ ଶହଶହ ଗ୍ରାହକ ନିର୍ଦ୍ଧୁମ ଖରାରେ ଠିଆ ହୋଇ ଅସୁସ୍ଥ ହୋଇ ପଡୁଛନ୍ତି । ପ୍ରତିଦିନ ସକାଳ ୭ଟାଠାରୁ ବହୁ ଦୁର ଦୁରାନ୍ତରୁ ଲୋକମାନେ ଆସି ଧାଡିରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳୁଛି । ୧୦ଟା ବେଳକୁ ବ୍ୟାଙ୍କ ଖୋଲାଯିବାପରେ ଏହି ଧାଡି ଦୀର୍ଘ ବାଟ ପର୍ଯ୍ୟନ୍ତ ଲମ୍ବି ଯାଉଛି । ନିର୍ଦ୍ଧୁମ ଖରାରେ ଲୋକମାନେ ଧାଡିରେ ଠିଆ ହୋଇଥିବାବେଳେ କେତେକ ଖରା ସହି ନପାରି ଓ ପ୍ରବଳ ଭିଡ ଯୋଗୁଁ ଅଣନିଶ୍ୱସୀ ହୋଇପଡୁଥିବାରୁ ବାଧ୍ୟହୋଇ ଘରକୁ ଫେରି ଯାଉଥିବା ଦେଖିବାକୁ ମିଳୁଛି । ଯିଏ ବି ଏହି ବ୍ୟାଙ୍କର ଏ ପରିସ୍ଥିତି ଦେଖିବ ସେ ଆଉ ବ୍ୟାଙ୍କକୁ ଆସିବାକୁ ରାଜି ହେବନି । ସେହିପରି ଗ୍ରାହକ ମାନଙ୍କ ପାଇଁ ପିଇବା ପାଣିର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ଅନେକ ଅବ୍ୟବସ୍ଥା ଯୋଗୁଁ ଦୈନଦିନ ଏଠାରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହିତ ଗ୍ରାହକ ମାନଙ୍କର ପାଟିତୁଣ୍ଡ ହେଉଛି । ବ୍ୟାଙ୍କରେ ପ୍ରବଳ ଗହଳି ଯୋଗୁଁ କରୋନା ସଂକ୍ରମଣର ଭୟ ରହିଛି । କାହା ମୁହଁରେ ମାସ୍କ ନାହିଁ ତ ସାମାଜିକ ଦୁରତା ମଧ୍ୟ ରହୁନି । ବ୍ୟାଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉ ନଥିବାରୁ ଅସନ୍ତୋଷ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ବ୍ୟାଙ୍କର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ନେଟ ସ୍ଲୋ ରହୁଥିବାରୁ ବ୍ୟାଙ୍କ କାମ ମାନ୍ଦା ହେଉଛି । ତେଣୁ ଗ୍ରାହକମାନଙ୍କ କାମ ଶିଘ୍ର ସରୁନି ଯାହା ସମସ୍ୟାର ମୁଳ କାରଣ ବୋଲି କହିଛନ୍ତି ।
ଏ ସମ୍ପର୍କରେ ଗ୍ରାହକମାନେ ଯାହା କହନ୍ତି-
ରାମଚନ୍ଦ୍ର ଜେନା-
ହାଟଡିହି ବ୍ଲକର ଏକମାତ୍ର ଲିଡିଙ୍ଗ ବ୍ୟାଙ୍କ ହୋଇଥିବାବେଳେ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନଥିବାରୁ ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବିଫଳ ହେଉଛନ୍ତି । ଯେଉଁ ବି କର୍ମଚାରୀ ଅଛନ୍ତି ସେମାନେ ଗ୍ରାହକ ମାନଙ୍କୁ ସେବା ଯୋଗାଇବାରେ ବହୁତ ବିଳମ୍ବ କରୁଛନ୍ତି । ପ୍ରତିଦିନ ଏନେଇ ଅଭିଯୋଗ କରୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏଠାରେ ଅନ୍ୟ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲାହେଲେ ଏହି ଗହଳିରୁ ମୁକ୍ତ ମିଳିପାରନ୍ତା ।
ଫକିର ଚରଣ ରାଉତ-
ଆମେ ଆମ ଟଙ୍କାକୁ ବ୍ୟାଙ୍କରେ ରଖିବୁ । ଆମ ଟଙ୍କାରେ କର୍ମଚାରୀମାନେ ଦରମା ପାଉଛନ୍ତି, କିନ୍ତୁ ଗ୍ରାହକ ମାନଙ୍କୁ କି ପ୍ରକାର ବ୍ୟବହାର ଦେଖାଯାଏ ତାହା ସେମାନେ ଜାଣିପାରୁ ନାହାନ୍ତି । ସେମାନେ ଏସି ରୁମରେ ବସି ଗ୍ରାହକ ମାନଙ୍କୁ ଖରାରେ କଲବଲ କରାଉଛନ୍ତି । ତେଣୁ ବ୍ୟାଙ୍କ କର୍ତ୍ତୁପକ୍ଷ ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହିତ ଗ୍ରାହକମାନେ ଯେପରି ସେମାନଙ୍କ ନେଣଦେଣ ସୁରୁଖୁରୁରେ କରିପାରିବେ ସେନେଇ ଯତ୍ନବାନ ହେବା ଉଚିତ ।
ଜନ୍ମେଜୟ ମହାନ୍ତି-
ମୁଁ ଦୁଇଦିନ ହେଲା ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସୁଛି । ମାତ୍ର ବ୍ୟାଙ୍କରେ ଏପରି ଗହଳି ଯୋଗୁଁ ଏହି ଖରାରେ ଠିଆ ହେବାକୁ ଭୟ ଲାଗୁଛି । ଦୁଇଦିନ ଯାକ ଧାଡିରେ ଠିଆ ହୋଇ ହୋଇ ଦୁଇଟା ବାଜିବା ପରେ ବାଧ୍ୟହୋଇ ଘରକୁ ଫେରିଲି । ଅନ୍ୟ ପକ୍ଷରେ ବର୍ତ୍ତମାନ କରୋନା ଯେପରି ବ୍ୟାପକ ଆକାର ଧାରଣ କରୁଛି ସେଥିପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ଗୁରୁତ୍ୱ ଦେବା ଜରୁରୀ । ଏଠାରେ ସାମାଜିକ ଦୁରତା କିମ୍ବା ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉନି । ବ୍ୟାଙ୍କ କର୍ତ୍ତୁପକ୍ଷ ଜାଣିଶୁଣି ଗହଳି କରୁଛନ୍ତି । ତେଣୁ ପ୍ରଶାସନ ମଧ୍ୟ ସତର୍କ ହେବା ଜରୁରୀ ।
ସିପୁନ କୁମାର ଜେନା- ବ୍ୟାଙ୍କରେ ଏପରି ଗହଳି ଲାଗିବା ଢ଼େର ଦିନ ହୋଇଗଲାଣି । ଏଥିପାଇଁ ଅନେକ ଥର ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି । ଗ୍ରାହକମାନେ ବାରମ୍ବାର ଏନେଇ ଅଭିଯୋଗ କରିବା ସହ ଜୋନାଲ ଅଫିସକୁ ମଧ୍ୟ ଜଣାଇଲେଣି । ଶାଖା ପରିଚାଳକ କି ଉଚ୍ଚ କର୍ତ୍ତୁପକ୍ଷ ଯଦି ଗ୍ରାହକମାନଙ୍କ ଭିଡକୁ ଲକ୍ଷ ରଖି ଦୁଇ ତିନୋଟି କାଉଣ୍ଟର କରାଇ ଦିଅନ୍ତେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ।


