ପିପିଲିରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚାର

ଓଟ ପିଠିରେ ବସିବାର ଅନୁଭବ ମିଳୁଛି ପିପିଲି ରାସ୍ତାରେ : କନକବର୍ଦ୍ଧନ  

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପିପିଲିରେ ରାସ୍ତାଘାଟ ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । ମୁଁ ରାଜସ୍ଥାନରେ ବିବାହ କରିଛି । ସେଠାରେ ଲୋକମାନେ ଓଟ ପିଠିରେ ବସିକି ଗଲେ ଯେପରି ଅନୁଭବ ହୁଏ ପିପିଲି ରାସ୍ତାରେ ଗାଡିରେ ଆସିବା ସମୟରେ ମୁଁ ସେମିତି ଅନୁଭବ କଲି । ପିପିଲି ରାସ୍ତାରେ ଆସିଲେ ରାଜସ୍ଥାନର ଓଟ ପିଠିରେ ବସିବାର ଅନୁଭବ ମିଳୁଛି ବୋଲି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆକ୍ଷେପ କରି କହିଛନ୍ତି । ପିପିଲିର ଉନ୍ନତି କିପରି ହେବ ସେନେଇ ପୂର୍ବତନ ବିଧାୟକଙ୍କର କୋଣସି ରୋଡ ମ୍ୟାପ ନଥିଲା । ପିପିଲିବାସୀ ବାରମ୍ବାର ଭୋଟ ଦେଉଛନ୍ତି, କିନ୍ତୁ ସେମାନେ ବିକାଶ ଧାରାରେ ସାମିଲ ହୋଇପାରୁନାହାଁନ୍ତି । କେବଳ ନିର୍ବାଚନ ସମୟରେ ଶାସକ ଦଳ ବଡ ବଡ ପ୍ରତିଶୃତି ଦେଇଥାଏ କିନ୍ତୁ ନିର୍ବାଚନ ସରିଗଲେ ‘ଯଥା ପୂର୍ବଂ ତଥା ପରଂ’ ଭଳି ଆଚରଣ ଦେଖାଏ ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି । ଶ୍ରୀ ସିଂହଦେଓ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପଂଚାୟତ ବୁଲି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ପିପିଲିବାସୀ ଶ୍ରୀ ସିଂହଦେଓଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ମୋଦିଜୀଙ୍କ ବିକାଶଧାରାରେ ନିଜକୁ ସାମିଲ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପ୍ରଚାର ସମୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ