ରାଜ୍ୟବାସୀଙ୍କୁ ସଫଳତାର ହିସାବ ଦେବେ ନବୀନ
ମନ୍ତ୍ରୀଙ୍କ ପୋଗ୍ରେସିଭ୍ ରିପୋର୍ଟ ଦେଖି ମାର୍କ ଦେବେ ନବୀନ
ଭୁବନେଶ୍ୱର,(ୱାଇଏନ୍ଏସ୍): ଆସୁଛି ପରୀକ୍ଷା । ଛାତି ଧଡ଼ଧଡ଼ । ମନ୍ତ୍ରୀଙ୍କ ମୁଣ୍ଡରେ ପଡ଼ିପାରେ ଚଡ଼କ । ମେ’ ୧୫ରୁ ଆରମ୍ଭ ହେବ ପରୀକ୍ଷା । ବିଭାଗୱାରୀ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଓ ଅପାଗରତା ମାପିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ବର୍ଷ ଭିତରେ ନିଜ ବିଭାଗରେ କ’ଣ ବଡ଼ କାମ କରିଛନ୍ତି, ତାହାର ରିପୋର୍ଟ ଦେବେ ମନ୍ତ୍ରୀ । ଖାଲି ସେତିକି ନୁହେଁ, ସରକାରଙ୍କ ୫-ଟି ଓ ମୋ’ ସରକାର ମନ୍ତ୍ରକୁ କେତେ ଦୂର କାମରେ ଲଗାଇଛନ୍ତି, ତା’ର ବି ଦସ୍ତାବିଜ୍ ଦେଖାଇବାକୁ ପଡ଼ିବ ।ମନ୍ତ୍ରୀଙ୍କ ଦୁଇ ବର୍ଷିଆ ପୋଗ୍ରେସିଭ୍ ରିପୋର୍ଟ ଦେଖି ନବୀନ ଦେବେ ମାର୍କ । ଯିଏ ଦକ୍ଷ ସେ ରହିବେ ମନ୍ତ୍ରିମଣ୍ଡଳରେ, ଏମିତିକି ବଡ଼ ବିଭାଗ ବି ମିଳିପାରେ । ଆଉ ଯିଏ ଅପାରଗ ତାଙ୍କ ମୁଣ୍ଡ ଗଡ଼ିବ । କେତେକ ବିଦା ହୋଇପାରନ୍ତି ମନ୍ତ୍ରିମଣ୍ଡଳରୁ । ଆଉ କେତେକଙ୍କୁ ବଡ଼ ବିଭାଗରୁ କାଢ଼ି ହାଲୁକା ବିଭାଗରେ ବସାଯାଇପାରେ। ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତିବେଳକୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି ।ନବୀନଙ୍କ ପଞ୍ଚମ ପାଳି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ପୂର୍ବରୁ ପ୍ରସ୍ତୁତ ହେବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ଦୁଇ ବର୍ଷରେ ମନ୍ତ୍ରୀମାନେ କ’ଣ କରିଛନ୍ତି, ତା’ର ରିପୋର୍ଟ ରଖିବେ ମୁଖ୍ୟମନ୍ତ୍ରୀଙ୍କ ଆଗରେ । ପ୍ରତ୍ୟେକ ମନ୍ତ୍ରୀ ନିଜ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମ ସଫଳତା ବଖାଣିବେ । ଆସନ୍ତା ମେ’ ୧୫ ତାରିଖରୁ ଏଭଳି ଭାବେ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ମେ’ ପର୍ଯ୍ୟନ୍ତ ସମୀକ୍ଷା ଚାଲିବ । ପଞ୍ଚମ ପାଳି ଶାସନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମେ’ ୨୯ ତାରିଖରେ ରାଜ୍ୟବାସୀଙ୍କ ସାମ୍ନାରେ ନିଜ ସରକାରର ସଫଳତାର ହିସାବ ରଖିବେ ନବୀନ । ‘ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ’ ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର କେତେ ଦୂର ସଫଳ ହୋଇଛନ୍ତି, ତା’ର ହିିସାବ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ଏ ନେଇ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି ନବୀନ । ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ଏହାସହ ୫-ଟି ଏବଂ ମୋ’ ସରକାର କାର୍ଯ୍ୟକ୍ରମ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି ଓ ଏହାଦ୍ୱାରା ବିଭାଗର କାର୍ଯ୍ୟଧାରାରେ କି ଉନ୍ନତି ଆସିଛି, ଏବଂ ବିଭାଗକୁ ଏହା କେତେ ଦୂର ଲୋକାଭିମୁଖୀ କରିପାରିଛି, ସେ ସମ୍ପର୍କରେ ମନ୍ତ୍ରୀମାନେ ରିପୋର୍ଟ ରଖିବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସାଢ଼େ ୪ କୋଟି ଜନତା ଆମକୁ ଯେଉଁ ଦାୟିତ୍ୱ ନେଇଛନ୍ତି ଓ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛୁ, ତା’କୁ ପାଳନ କରିବାରେ ଆମେ କେତେ ସଫଳ ହୋଇଛୁ, ତା’ର ହିସାବ ଲୋକଙ୍କୁ ଦେବାକୁ ହେବ । ଏହା ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧ କରିବ । ୨୦୧୯ ମେ’ ୨୯ ତାରିଖରେ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପଞ୍ଚମ ପାଳି ସରକାରର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆସନ୍ତା ମେ’ ୨୯ରେ ମନ୍ତ୍ରୀ ପରିଷଦର ସ୍ୱତନ୍ତ୍ର ବୈଠକ ବସିବ । ଏହି ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ ।ନବୀନଙ୍କ ସମୀକ୍ଷାକୁ ନେଇ ଅନେକ ମନ୍ତ୍ରୀ ଏବେ ଛାନିଆ । ଚର୍ଚ୍ଚା ହେଉଛି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ଯିଏ ଦକ୍ଷତାର ସହ କାମ କରିଛନ୍ତି, ମନ୍ତ୍ରୀମଣ୍ଡଳରେ ତାଙ୍କ ଗୁରୁତ୍ୱ ବଢ଼ିବ । ଯିଏ କାମରେ ପଛରେ ପଡ଼ିଛନ୍ତି, ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଯାଇପାରେ ।


