ସମାଜସେବା ପାଇଁ ଡ଼କ୍ଟର ଆଲୋକ କୁମାର ବୋଷ ସମ୍ମାନୀତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସମାଜସେଵୀ ଡ଼କ୍ଟର ଆଲୋକ କୁମାର ବୋଷଙ୍କୁ ଭୂବନେଶ୍ୱରରେ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଇଣ୍ଡିୟାନ୍ ମିଡିଆ କଂଗ୍ରେସ୍ (ଆଇଏମ୍ସି) ଆନକୂଲ୍ୟରେ ବିଶ୍ଵ ପ୍ରେସ ସ୍ବାଧୀନତା ଦିବସ ଅବସରରେ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମାଜସେବା ପାଇଁ ସମ୍ମାନିତ କରାଯାଇଅଛି । ମୂଖ୍ୟ ଉପଦେଷ୍ଟା ରଜନୀ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଯାଜପୁର ସାଂସଦ ଡକ୍ଟର ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ମାଧ୍ୟମର ପ୍ରତିନିଧୁମାନଙ୍କ ଭୂମିକା, ଦାୟିତ୍ଵ ବୋଧ ଏବଂ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ବାଦିକମାନଙ୍କ ସ୍ୱାଧୀନତା, ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋଚନା ରଖୁଥିଲେ । ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଗୁରୁକଲ୍ୟାଣ ମହାପାତ୍ର ଓ ପ୍ରବକ୍ତା ରମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।ରଜନୀକାନ୍ତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ । ଡ଼କ୍ଟର ଆଲୋକ କୁମାର ବୋଷଙ୍କୁ ସାମାଜିକ ସେବା ପାଇଁ ସମ୍ମାନୀତ ହୋଇଥିବାରୁ ଗଜପତି ଜିଲ୍ଲାରେ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯିବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।


