ସଡ଼କ ଦୁର୍ଘଟଣା: ଜଣେ ମୃତ ୬ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରା.ଉଦୟଗିରୀ ବ୍ଲକ ରାମଗିରି ସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା , ଘଟଣା ସ୍ଥଳରେ ଜଣେ ମୃତ , ଛଅ ଜଣ ଗୁରୁତର । ଗୁରୁତର ଙ୍କ ମଧ୍ୟରେ ଜଣେ ୫ ବର୍ଷ ର ଶିଶୁ କନ୍ୟା ଥିବା ଜଣାପଡିଛି । ଘଟଣା ସ୍ଥଳରେ ରାମଗିରି ପୋଲିସ୍ ପହଞ୍ଚି ଆହତଙ୍କୁ ମେଡ଼ିକାଲ ରେ ପହଞ୍ଚାଇବା ସହ ଦୁଇଟି ବାଇକ ଜବତ କରି ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତଦନ୍ତ ଭାର ନେଇ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ପ୍ରକାରେ ପାତ୍ରବସା ଗ୍ରାମର ଗୋଟିଏ ପରିବାରର ଶିଶୁ କନ୍ୟା ସହିତ ୩ ଜଣ ଏଚ୍ ଏଫ୍ ଡିଲେକ୍ସ (ଓ ଡି ୨୦ ବି ୫୩୩୩ ) ମୋଟର ସାଇକେଲ ଯୋଗେ ରାମଗିରି ନିକଟ ଦଶିରାମପୁର ଗ୍ରାମରେ ଏକ ବିହାଘର ଭୋଜି ଖାଇବାକୁ ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଖାରିପଦା ଗ୍ରାମର ୩ ଜଣ ଯୁବକ ଏଚ୍ ଏଫ୍ ଡିଲେକ୍ସ (ଓ ଡି ୦୭ ଏଚ୍ ୦୫୯୫ ) ମୋଟର ସାଇକେଲ ଯୋଗେ ସେହି ଦାଶିରାମପୁର ଗ୍ରାମକୁ ଭୋଜି ଖାଇବାକୁ ଯାଉଥିବା ବେଳେ ରାମଗିରି ସ୍ଥିତ କୃଷି ଉଦ୍ୟାନ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ପୋଲିସ ସମେତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ରାମଗିରି ପ୍ରାଥମିକ ଚିକିତ୍ସାଳୟ କୁ ଅଣାଯାଇଥିଲା l ଦୁର୍ଘଟଣା ସ୍ଥଳରେ ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତର ପାତ୍ରବସା ଗ୍ରାମର ଜୁନେସ ଶବରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ପାତ୍ରବସା ଗ୍ରାମର ସୂର୍ଯ୍ୟବତୀ ଶବର(୧୮) ରୁକ୍ମଣୀ ଶବର (୫ ) ସରସ୍ବତୀ ଶବର (୧୬) ଓ ଅବାରସିଂ ପଞ୍ଚାୟତ ଖାରିପଦା ଗ୍ରାମର ଶତ୍ରୁଘନ ରଇତ, ଗଣନାଥ ରଇତ, ଶିବରାମ ରଇତ ବୋଲି ପରିଚୟ ମିଳିଛି । ଡାକ୍ତର ସୁବ୍ରତ କୁମାର ସାହୁ ଓ ଶ୍ରୀଧର ସାହୁ ପ୍ରାଥମିକ ଚିକିତ୍ସା କରି ଖାରିପଦା ଗ୍ରାମର ଶତ୍ରୁଘନ ରଇତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକା ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଗୁରୁତର ଆହତ ୫ ବର୍ଷର ଶିଶୁ କନ୍ୟା ରୁକ୍ମିଣୀ ଶବର , ସୂର୍ଯ୍ୟବତୀ ଶବର ଓ ସରସ୍ବତୀ ଶବରଙ୍କୁ ଅଧିକା ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାପାଇଁ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ପ୍ରାଇଭେଟ ବୋଲେରୋ ଗାଡି ଭଡା କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପରିବାର ଲୋକ ନେଇଥିଲେ l ଏ ନେଇ ରାମଗିରି ଥାନାରେ ମକଧମା ସଂଖ୍ୟା ୩୨/୨୬ ରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଡି. ଗଜପତି ଦୋରା ସୂଚନା ଦେଇଛନ୍ତି l


