ଦିବଂଗତ ସାମ୍ବାଦିକ ନବୀନ ଗନ୍ତାୟତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିଲା
ପାରଳାଖେମୁଣ୍ଡି, ୧୩ା୪ (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର “ହିନ୍ଦୁସ୍ଥାନ ସମାଚାର”ର ଦିବଂଗତ ବରିଷ୍ଠ ସାମ୍ବାଦିକ ନବୀନ ନନ୍ଦ ଗନ୍ତାୟତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି । କୋଭିଡ୍ରେ ସେ ବ୍ରହ୍ମପୁର ଡାକ୍ତରଖାନା ଠାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ । ତାଙ୍କ ପତ୍ନୀ ଅମୂଲ୍ୟ କୁମାରୀ ଗନ୍ତାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ସ୍ୱର୍ଗତ ଗନ୍ତାୟତ ବିଗତ ୪୦ବର୍ଷ ଧରି ପ୍ରଜାତନ୍ତ୍ର, ସ୍ୱରାଜ୍ୟ, ମାତୃଭୂମୀ, ଦୈନିକ ଆଶା ଆଦି ସହ ମୃତ୍ୟୁ ପୂର୍ବରୁ ହିନ୍ଦୁସ୍ଥାନ ସମାଚାରର ଗଜପତି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ତାଙ୍କରି ଖବର ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ତାଙ୍କ ଦ୍ୱାରା ପ୍ରକାଶିତ ଅନେକ ଖବର ଦ୍ୱାରା ଗଜପତି ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳର ଉନ୍ନତି ଘଟିଥିଲା । ପରିଣତ ବୟସରେ ମଧ୍ୟ ସାମ୍ବାଦିକତାରୁ ଦୂରେଇ ନରହି ଲୋକଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ଖବର ପରିବେଷଣ କରିଚାଲିଥିଲେ ।


