ଗଜପତିରେ ଗତକାଲି ଗୋଟିଏ ଦିନରେ ୧୭ଶହଙ୍କୁ ଟୀକାକରଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗତକାଲି ୧୭ଟି ଟିକାଦାନ କେନ୍ଦ୍ରରେ ୪୫ବର୍ଷରୁ ଉର୍ଦ୍ଧ ବୟସ ବ୍ୟକ୍ତିଙ୍କ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଜାରୀ ରହଥିବା ବେଳେ ୧୭୦୦ରୁ ଉର୍ଦ୍ଧଙ୍କୁ କୋଭିଡ ଟୀକାକରଣ ବ୍ୟବସ୍ଥା ହୋଇଥିଲା । ଏହି ୧୭ଗୋଟି ଟିକାଦାନ କେନ୍ଦ୍ର ଯଥା ଗୋଷାଣୀ ବ୍ଲକରେ ୩ଟି, କାଶୀନଗର ବ୍ଲକରେ ଗୋଟିଏ, ନୂଆଗଡ ବ୍ଲକରେ ୨ଗୋଟି, ଗୁମ୍ମା ବ୍ଲକରେ ୨ଟି, ରାୟଗଡା ବ୍ଲକରେ ଗୋଟିଏ, ଆର୍.ଉଦୟଗିରି ବ୍ଲକରେ ୨ଗୋଟି, ମୋହନା ବ୍ଲକରେ ୪ଟି ଏବଂ ପାରଳାଖେମୁଣ୍ଡି ସହରରେ ୨ଟି ଟିକାଦାନ କେନ୍ଦ୍ର ଠାରେ ୧୭୦୦ରୁ ଉର୍ଦ୍ଧଙ୍କୁ କୋଭିଡ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫୦ ହଜାର ୬୩ ଜଣ ପ୍ରଥମ ଡୋଜ ଟୀକା ନେଇ ସାରିଥିବା ବେଳେ ୧୦ ହଜାର ୨୭୦ ଜଣ ଦ୍ୱିତୀୟ ଡୋଜ କୋଭିଡ ଟୀକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟରତ ୬୨୪୯ ଜଣ କୋଭିଡ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ ୫୧୬୮ଜଣଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯାଇଛି । ସେହିଭଳି ଆଗଧାରିରେ କାର୍ଯ୍ୟରତ ୩୨୮୫ଜଣ କୋଭିଡ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୨୩୦୪ଜଣଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯାଇଛି । ଜିଲ୍ଲାର ସେହିଭଳି ୬୦ ବର୍ଷରୁ ଉଦ୍ଧ ବୟସର ୨୩ ହଜାର ୪୨ଜଣ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଏବଂ ୨୬୫୯ଜଣଙ୍କୁ ଦ୍ୱିତାୟ ଡୋଜ କୋଭିଡ ଟୀକା ଦିଆଯାଇଛି । ସେହିଭଳି ୪୫ ବର୍ଷରୁ ଉର୍ଦ୍ଧ ବୟସର ୧୭ହଜାର ୪୮୭ଜଣଙ୍କୁ ପ୍ରତମ ଡୋଜ ଓ ୧୩୯ ଜଣଙ୍କୁ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ ଟୀକା ଦିଆଯାଇଥିବା ଜଣାପଡିଛି ।