ବର୍ଷା ବିତ୍ପାତ : ବହୁ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ଓ ୪୬ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ମିମି ବର୍ଷା ହୋଇଛି । ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ରିଲିଫ ସାମଗ୍ରୀ ଯାଗାଇ ଦିଆଯାଇଛି । କାନ୍ଥ ଭୁଷୁଡ଼ି କେନ୍ଦୁଝର ଜିଲ୍ଲାରେ ଜଣେ ପ୍ରାଣ ହରାଇଥିବାବେଳେ ବେଗୁନିଆ ବ୍ଲକରେ ଜଣେ ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ପୁରୀରେ ୧୩୮.୩ ମିମି, ଗଞ୍ଜାମରେ ୧୨୫.୨ମିମି, ଖୋର୍ଦ୍ଧାରେ ୧୦୫.୭ମିମି, ଗଜପତିରେ ୧୦୦.୬ମିମି ଓ ଜଗତସିଂହପୁରରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ବହୁ ଜିଲ୍ଲାରେ ଆହୁରି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୫ଟି ଜିଲ୍ଲା ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୧୦ଟି ଜିଲ୍ଲାରେ ଅରେଞ୍ଜ ଓ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହାଇଛି । ଜିଲ୍ଲାପାଳମାନଙ୍କୁ ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଗାଣବର୍ଷା ଯୋଗୁ କଟକ ମହାନଗର ନିଗମର ବହୁ ଅଞ୍ଚଳ ଜଳମଗ୍ନ ଥିବାବେଳେ ଏବେ ପମ୍ପସେଟ୍ ମାଧ୍ୟମରେ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ସେହିପରି ଜଗତସିଂହପୁର ପୌରାଞ୍ଚଳର କଣ୍ଟାପଡ଼ା ଭାଇସାହିରେ ୩ଟି ଘର ଭୁଷୁଡ଼ି ପଡ଼ିଛି ଓ ବହୁ ମାଟି ଘର ନଷ୍ଟ ହୋଇଛି । ୩୫ଟି ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକର ଦେଉଳି ପଞ୍ଚାୟତର ଡଙ୍ଗରପଡ଼ା ଗାଁର ଶାନ୍ତିଲତା ବିଶ୍ୱାଳ ନାମକ ଜଣେ ମହିଳା କାନ୍ଥ ପଡ଼ି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବାଣପୁର ଏନଏସିର ବହୁ ଅଞ୍ଚଳ ଜଳମଗ୍ନ ହେବାପରେ ୬ଟି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ତହସିଲ ଅଞ୍ଚଳର ମକରା ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଉପରେ କାନ୍ଥ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପତ୍ନୀ ଓ ଜ୍ୱାଇଁ ଆହତ ହୋଇଛନ୍ତି । ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳରେ କାନ୍ଥ ଭୁଷୁଡ଼ି ଥିବା ସୂଚନା ମିଳିଛି । ସେହିପରି ଗୁଣୁପୁରର ପୁଟାସିଂ ପଞ୍ଚାୟତରେ ପାହାଡ଼ ଉପରୁ ଏକ ବଡ଼ ପଥର ଖସିବାରୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଲଗାଣବର୍ଷା ଯୋଗୁ ୮ଟି ଜିଲ୍ଲା ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ