ମାନସିକ ପୂରଣ ହେବା ପରେ ଠାକୁରଙ୍କ ଅର୍ପଣ କରାଯାଏ ଝାଡୁ
ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି । ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲା ବିହାଜୋଇ ଗାଁରେ ରହିଛି ପାତାଳେଶ୍ୱର ମହାଦେବ ମନ୍ଦିର । ଏଠାରେ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁ ମାନସିକ କରିଥାନ୍ତି । ରୋଗ ଭଲ ହେଲେ ଶ୍ରଦ୍ଧାଳୁ ମହାଦେବଙ୍କୁ ଝାଡୁ ଅର୍ପଣ କରିଥାନ୍ତି । ପ୍ରାୟ ୧୫୦ ବର୍ଷ ତଳେ ଏହି ପ୍ରାଚୀନ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । ଏଠାରେ ପୂର୍ବରୁ ଏକ ଆଶ୍ରମ ଥିଲା । ଥରେ ଆଶ୍ରମକୁ ଭିକାରୀ ଦାସ ନାମକ ଜଣେ ବ୍ୟବସାୟୀ ପାଣି ପିଇବାକୁ ଆସିଥିଲେ । ସେ ମୟରେ ଆଶ୍ରମରେ ଥିବା ସାଧୁବାବା ଝାଡୁ କରୁଥିଲେ । ଝାଡୁ ଭିକାରୀଙ୍କ ଦେହରେ ବାଜିଥିଲା । ସେ ଅନୁଭବ କରିଥିଲେ ଯେ ତାଙ୍କ ଶରୀରରେ ଥିବା କେତେକ ଯନ୍ତ୍ରଣା ଉପଶମ ହୋଇଯାଇଛି । ସେ ସାଧୁବାବାଙ୍କୁ ଏହାର କାରଣ ପଚାରିଥିଲେ । ବାବା କହିଥିଲେ ଏହି ଚମକ୍ରାର ମହାଦେବଙ୍କ କୃପାରୁ ସମ୍ଭବ ହୋଇଛି । ଭିକାରୀ ଦାସ ସାଧୁଙ୍କୁ କିଛି ଭେଟି ନେବାକୁ ମନା କରିଦେବା ସହିତ ସେଠାରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ମହାଦେବଙ୍କୁ ଝାଡୁ ଅର୍ପଣ କରାଯିବା ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ଭିକାରୀ ଦାସ ସେଠାରେ ପାତାଳେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ସହିତ ଝାଡୁ ଅର୍ପଣ କରିବା ପରମ୍ପରା ଆରମ୍ଭ କରିଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଥାନ୍ତି ।


