ମହର୍ଷି ଦୟାନନ୍ଦ ଜୀବିତାବସ୍ଥାରେ ଦେଖିଥିଲେ ସ୍ୱପ୍ନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଭାରତବର୍ଷରେ ଧାର୍ମିକ ଓ ସାମାଜିକ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୬ତମ ଋଷି ନିର୍ବାଣ ମହୋତ୍ସବ ଆଜି ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷର ସ୍ୱରାଜ ଆନ୍ଦୋଳନ ପାଇଁ ଯୁବପିଢୀମାନଙ୍କୁ କେବଳ ପ୍ରବତ୍ତାଉ ନଥିଲେ, ପ୍ରସ୍ତୁତ କରୁଥିଲେ । ସେଥିପାଇଁ ଥରେ ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ ‘ମହର୍ଷି ଦୟାନନ୍ଦ ଆଧୁନିକ ଋଷି ଏବଂ ସଂସ୍କାରକଙ୍କ ମଧ୍ୟରେ ଅନ୍ୟତମ, ତାଙ୍କ ଜୀବନର ବ୍ରତ ଭାବେ ଭାରତବର୍ଷ ବିଶେଷଭାବେ ପ୍ରଭାବିତ ।’ବିଶିଷ୍ଟ ଅତିଥି ରାଜଧାନୀ ଗ୍ୟାସ୍‌ର ପରିଚାଳନା ଅଧ୍ୟକ୍ଷ ଶ୍ୟାମାବଲ୍ଲଭ ମହାପାତ୍ର କହିଲେ ଯେ, ମହର୍ଷି ଦୟାନନ୍ଦ ଯେଉଁ ଗୁରୁକୁଳ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ରହିଛି । ପିଲାଟିଏ ସଂସ୍କାରୀ ହେଲେ ତା ଜୀବନରେ ସେ ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର କରିବାକୁ ନିଶ୍ଚିତ ଡ଼ରିବ । ଆଜି ସମାଜରେ ନୈତିକ ଶିକ୍ଷାର ଅଭାବରୁ ପିଲାମାନେ କୁସଙ୍ଗରେ ପଡି ଖରାପ ରାସ୍ତାକୁ ଗତି କରୁଛନ୍ତି । ଅନ୍ୟତମ ଅତିଥି ଭାବେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ମହର୍ଷି ଦୟାନନ୍ଦ ଯେଉଁ ଦଶ ନିୟମର ବାର୍ତ୍ତା ଦେଇଛନ୍ତି ତାହା ହିଁ ହିନ୍ଦୁଧର୍ମର ସାର କଥା । ବିଦ୍ୱାନ ପିତାମାତା, ଆଚାର୍ଯ୍ୟ, ଅତିଥିଙ୍କ ପୂଜା ହିଁ ପ୍ରକୃତରେ ଦେବପୂଜା । କେବଳ ଈଶ୍ୱରଙ୍କ ନାମ ଜପ କଲେ ହେବନାହିଁ, ଈଶ୍ୱରଙ୍କ ନିର୍ଦ୍ଦେଶିତ ସତକର୍ମ କରିବା ହିଁ ପ୍ରକୃତ ଈଶ୍ୱରପ୍ରାପ୍ତି ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆୟୋଜିତ ବୈଦିକ ଯଜ୍ଞକୁ ପଣ୍ଡିତ ବିନୋଦ ବିହାରୀ ଦାଶ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଭବାନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମର ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥାକୁ ଶ୍ୟାମା ବଲ୍ଲଭ ମହାପାତ୍ର ସୁଇଚ୍ ଟିପି ଉଦ୍‌ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ