ସାଉଦି ଆରବ ଗସ୍ତ ଶେଷ କରି ଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସାଉଦି ଆରବ ଗସ୍ତ ଶେଷ କରି ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀରେ ପହଞ୍ଚିଛନ୍ତି । ସାଉଦୀ ରାଜା ସଲମନ୍ ବିନ୍ ଅବଦୁଲାଜିଜ୍ ଅଲ୍ ସାଉଦ୍ଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ସାଉଦି ଆରବରେ ଥିଲେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ବିଶ୍ୱରେ ତୃତୀୟ ବୃହତ୍ ଭାବେ ମାନ୍ୟତା ପାଇଥିବା ଭାରତର ଷ୍ଟାର୍ଟ-ଅପ୍ ଇକାସିଷ୍ଟମରୁ ଉପକୃତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନିବେଶକାରୀଙ୍କୁ ଆହ୍ୱାନ ଦେଇଥିଲେ । ଫ୍ୟୁଚର୍ ଇନଭେଷ୍ଟମେଣ୍ଟ ଇନସିଏଟିଭରେ ଅଭିଭାଷଣ ଦେଇ ସେ ଆହୁରି କହିଲେ ଯେ ତାଙ୍କର ଦୃଢ଼ ବିଶ୍ୱାସ ଭାରତର ଅଭିନବ ସେକ୍ଟରଗୁଡ଼ିକରେ ଯାହା ବିନିଯୋଗ କଲେ ବି ବିପୁଳ ଲାଭ ମିଳିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ଟାୟର୍-ଟୁ ଏବଂ ଟାୟର୍-ଥ୍ରି ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ଏବଂ ଭାରତରେ ବିନିଯାଗ କରୁଥିବା ବିଶ୍ୱସ୍ତରୀୟ କମ୍ପାନିମାନଙ୍କୁ କୁଶଳୀ ମାନବ ସମ୍ବଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । “ଫ୍ୟୁଚର୍ ଇନଭେଷ୍ଟମେଣ୍ଟ ଇନସିଏଟିଭ୍’ ଗୋଟାଏ ବିଚକ୍ଷଣ ଉପକ୍ରମ ବୋଲି କହି ପ୍ରଧାନମନ୍ତ୍ରୀ କହିଲେ ଯେ, କେବଳ ଅର୍ଥନୈତିକ ପ୍ରକ୍ରିୟା ସଂକ୍ରାନ୍ତ ଆଲୋଚନା ଏହି ମଞ୍ଚର ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ହେଉଛି ବୃଦ୍ଧି ପାଉଥିବା ଧାରା ଏବଂ ବିଶ୍ୱ ଜନକଲ୍ୟାଣ ନିମନ୍ତେ ଉପାୟ ସନ୍ଧାନ କରିବା । ସେ କହିଲେ ୨୦୧୪ ସୁଦ୍ଧା ଭାରତ ରିଫାଇନିଙ୍ଗ୍, ପାଇପଲାଇନ୍ ଏବଂ ଗ୍ୟାସ୍ ଟର୍ମିନାଲ୍ ଆଦିରେ ୧୦୦ ଆମେରିକୀୟ ଡଲାର୍ ବିନିଯୋଗ କରିବା ନିମନ୍ତେ ଲକ୍ଷ୍ୟ ରଖିଛି ।


