ମରୁଡ଼ି, ସାର ସଙ୍କଟ ଓ ଚାଷୀ ପଞ୍ଜିକରଣ ନେଇ ଉଦ୍‌ବେଗ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଉତ୍କଳ ସାମ୍ବାଦିକ ଭବନରେ ନବନିର୍ମାଣ କୃଷକ ସଂଗଠନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନେତାମାନେ । କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ଦୁଇଦଳ ଲୋକଙ୍କ କାମ ନକରି ଆନ୍ଦୋଳନ କରିବା ହାସ୍ୟାସ୍ପଦ ବୋଲି ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ କହିଥିଲେ । ରାଜ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ୨୦ବର୍ଷରୁ ଉର୍ଦ୍ଧ୍ୱ କ୍ଷମତାରେ ରହିଲେ ବି ଜଳସେଚନ କ୍ଷେତ୍ରରେ ସରକାର ଘୋର ଅବହେଳା କରିଛନ୍ତି । ଜୁନ୍ ମାସ ଠାରୁ ଜୁଲାଇରେ କମ୍ ବର୍ଷା ହେବ ବୋଲି ସରକାର ଜାଣିଥିଲେ ବି ମରୁଡ଼ି ଏଡ଼ାଇବାକୁ ଆଦୌ ଉଦ୍ୟମ କଲେନାହିଁ । ରାଜ୍ୟର ବଜେଟ ଆକାର ବଢିଥିଲେ ବି ଜଳସେଚନ ପାଇଁ ଅଧିକା ପାଣ୍ଠି ଦିଆଯାଉ ନାହିଁ । ଯାହା ଦିଆଯାଉଛି ସେଥିରୁ ରାସ୍ତାଘାଟ ଖର୍ଚ୍ଚ କରାଯାଉଛି । ଅନ୍ୟତମ ସହ ସଂଯୋଜକ ନିମାଇଁ ରାୟ ସଂଗଠନର କର୍ମକର୍ତ୍ତାମାନେ ଶୃଙ୍ଖଳିତ ଓ ତ୍ୟାଗପୁତ ମନୋଭାବ ନେଇ ଗାଁ ଗଣ୍ଡାରେ ଚାଷୀ ସମସ୍ୟା ପାଇଁ ଆଲୋଚନା କରିବା ସହ ସଭ୍ୟ ସଂଗ୍ରହ କରି ଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାରେ ଦୁଇ ଦୁଇଟି ସାର କାରଖାନା ଥିବାବେଳେ ଚାଷୀମାନେ ଠିକ୍ ସମୟରେ ସାର ନପାଇ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା । ସରକାର ଚାଷ ପାଇଁ ଓ ସାର ରଖିବା ପାଇଁ ଗୋଦାମ ଘର ନକରି ଆନ୍ଦୋଳନ କରି ଚାଷୀଙ୍କ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି, ଏହା ଅତିବ ଲଜ୍ଜାଜନକ ଘଟଣା । କାଳିଆ ଯୋଜନାରେ ଅର୍ଥକାଟ ପ୍ରସଙ୍ଗକୁ ଆଗାମୀ ଦିନରେ ପ୍ରସ୍ତାବ କରାଯିବ । ସେହିଭଳି ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ କହିଲେ ଯେ, ଧାନ କିଣା ପାଇଁ ପଞ୍ଜିକରଣ ସମୟରେ ଚାଷୀଙ୍କୁ ପଟ୍ଟା ପାଉତି ମାଗି ହଇରାଣ କରିବାରୁ ବୁଝାପଡ଼ୁଛି ଯେ, ସରକାର ଚାହାଁନ୍ତି ବେଶି ଚାଷୀ ଧାନ କ୍ରୟ ପାଇଁ ନାମ ପଞ୍ଜିକରଣ ନକରନ୍ତୁ ।
କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅତିଥି ଭାବେ ଯୋଗଦେଇ କହିଲେ ଯେ, କିଭଳି ଭାବରେ କଳା କାନୁନ ବିରୋଧୀ ଅକ୍ଟୋବର ଐତିହାସିକ ପଦଯାତ୍ରା ସଫଳ ହେବ, ଏଥିପାଇଁ ସମସ୍ତେ ତତ୍ପର ହୁହନ୍ତୁ । ଓଡ଼ିଶାରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକ କିପରି ପଦଯାତ୍ରାରେ ସାମିଲ୍ ହେବେ, ସେ ଗୁରୁଦାୟିତ୍ୱ ସମସ୍ତଙ୍କର । ସଂଗଠନର ଉପଦେଷ୍ଟା ରବି ଦାସ କୃଷକମାନଙ୍କୁ କ୍ରିୟାଶୀଳ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ସାଧାରଣ ପରିଷଦ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଡଃ. କୁଳମଣି, ବରିଷ୍ଠ ସଂଗଠକ ସୁରେନ୍ଦ୍ରନାଥ ମହାରଣା, ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାସ, ପୁରୀ ସଂଯୋଜକ ଗୋବିନ୍ଦ ମହାପାତ୍ର, ଅକ୍ରୁର ପଲାଇ, ଖଗେଶ୍ୱର ମହନ୍ତ, ମହେଶ୍ୱର ଜେନା, ନିରଞ୍ଜନ ପ୍ରଧାନ, କୃଷ୍ଣ ବେହେରା, ପ୍ରହ୍ଲାଦ ସାହୁ, ସୁଧାକର ପରିଡା ଓ ମଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ