କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ଯୁବନେତା ମାନସ ଦତ୍ତଙ୍କ ସାକ୍ଷାତ-ଆଲୋଚନା
ବାଲେଶ୍ୱରରେ ଦକ୍ଷତା ବିକାଶ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଦେଲେ ପ୍ରସ୍ତାବ
ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନୂତନ ଦାୟିତ୍ୱ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିଳ୍ପୀ କେଶୁ ଦାସଙ୍କ ଦ୍ୱାରା ଅଙ୍କିତ ବ୍ୟାସକବଙ୍କ ଫଟୋଚିତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ଦତ୍ତ ବାଲେଶ୍ୱରରେ ସାମଗ୍ରିକ ବିକାଶ ପାଇଁ ଏକ ନୂତନ ସରକାରୀ ଦକ୍ଷତା ବିକାଶ ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି । ବାଲେଶ୍ୱରରେ ଆଇ.ଟି, ଡିଫେନ୍ସ, ଲୌହ, ପେଟ୍ରୋ କେମିକାଲ, ପେପର ମିଲ, ମେଡିକାଲ ଅନୁଷ୍ଠାନ ଥିବା ବେଳେ କାର୍ଯ୍ୟ କରିବା ପାଇଁ ଆହୁରି ଅଧିକ ଦକ୍ଷ ଯୁବକଙ୍କର ଆବଶ୍ୟକତା ରହିଛି । ମାତ୍ର କୌଣସି ସରକାରୀ ଦକ୍ଷତା ବିକାଶ ଶିକ୍ଷାନୁଷ୍ଠାନ ନ ରହିବା ଯୋଗୁଁ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ହୋଇ ପାରୁନି କି ଉପଯୁକ୍ତ ନିଯୁକ୍ତି ମିଳୁନାହିଁ । ଅନ୍ୟପକ୍ଷରେ ବାଳେଶ୍ୱରରେ କେନ୍ଦ୍ର ସରକାରଙ୍କ ସଫ୍ଟୱେର ଆଇଟି ପାର୍କ ନିର୍ମାଣ ଚାଲୁଅଛି, ଏହି ଦକ୍ଷତା ବିକାଶ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲେ ଏଠାରେ ବହୁ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହ ସେମାନେ ନିଯୁକ୍ତି ପାଇପାରନ୍ତେ ବୋଲି ଶ୍ରୀ ଦତ୍ତ ମନ୍ତ୍ରୀଙ୍କୁ କହିଛନ୍ତି । ଏଥି ସହିତ ବାଲେଶ୍ୱରରେ ଇଥାନଲ କାରଖାନା ପ୍ରତିଷ୍ଠା ନିଷ୍ପତ୍ତି ପାଇଁ ସେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


