ସ୍ୱଳ୍ପ ବର୍ଷା ଯୋଗୁଁ ବାଘୁଆ ଜଳଭଣ୍ଡାରରେ ପାଣିନାହିଁ :ଯନ୍ତ୍ରୀ

ତୁରନ୍ତ ବାଘୁଆରୁ ପାଣିନଦେଲେ ରାସ୍ତା ଅବରୋଧ : ବିଜେପି

ବୁଗୁଡା, (ଅନିଲ ମହାରଣା) :ଗତକାଲି ଅର୍ଥାତ ଅଗଷ୍ଟ ୧୨ ତାରିଖ ଦିନ ବିଜେପି ର ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ ଚାଷୀଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ ଭାମଶ୍ୟାଳି ପଞ୍ଚାୟତର କୁଆନଳା ଗ୍ରାମକୁ। ଶ୍ରୀ ମଳିକ ଚାଷୀମାନଙ୍କ ସହ ବସି କରିଥିଲେ ଆଲୋଚନା। ଚାଷୀମାନେ ଦୁଃଖ ଜଣାଇଥିଲେ, ସ୍ୱଳ୍ପ ବର୍ଷା ଯୋଗୁଁ ଧାନ ତଳି ପୋଡ଼ିଗଲାଣି ଓ ଧାନରୁଆ ହୋଇପାରିନାହିଁ। ବାଘୁଆ ଜଳଭଣ୍ଡାର ଅନୁଜ ଯନ୍ତ୍ରୀଙ୍କୁ କେନାଲରେ ପାଣିଛଡିବାକୁ କହିଲେ, କହୁଛନ୍ତି ଜଳଭଣ୍ଡାରରେ ପାଣି ଗଚ୍ଛିତ ନାହିଁ। ଏହି ଅଭିଯୋଗ ଶୁଣିବା ପରେ ବିଜେପି ସଭାପତି ଶ୍ରୀ ମଳିକ ବାଘୁଆ ଜଳଭଣ୍ଡାରର ସହ ନିର୍ବାହୀ ଯନ୍ତ୍ରୀଙ୍କ ସହ ଫୋନକରି ଆଲୋଚନା କରିଥିଲେ। ସହ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ ଯେ ବାଘୁଆ ଜଳଭଣ୍ଡାରରେ ଅତି ଅଳ୍ପ ପରିମାଣ ଜଳ ଗଚ୍ଛିତ ଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦଙ୍କ ମଧ୍ୟରେ ଆଲୋଚନା ହୋଇ ଜୁଲାଇ ୨୨ ତାରିଖ ଠାରୁ ପ୍ରଥମ ପର୍ଯ୍ୟାୟରେ ଚାଷ କାର୍ଯ୍ୟ ପାଇଁ କେନାଲରେ ପାଣି ଛଡ଼ାଯାଇଥିଲା। ଜଳସ୍ତର ଶୂନ୍ୟ ପ୍ରତିଶତକୁ ଆସିବ ପରେ କେନାଲରେ ଆଉ ପାଣି ଯାଇପାରିନଥିଲା। ଆଶା ଥିଲା ବର୍ଷା ହେଲେ ବାଘୁଆ ଜଳଭଣ୍ଡାରରେ ପାଣି ଅଧିକ ହେଲେ ପୁଣି କେନାଲରେ ଚାଷ ପାଇଁ ପାଣି ଯିବ। ମାତ୍ର ସ୍ବଳ୍ପ ବର୍ଷା ଯୋଗୁଁ ବାଘୁଆ ଜଳଭଣ୍ଡାରରେ ୩୧୦୦ ହେକ୍ଟର ଜଳ ରହିବା ସ୍ଥଳେ ଅଗଷ୍ଟ ୧୨ ତାରିଖ ସୁଦ୍ଧା ଗଛିତ ହୋଇଛି ୮୫ ହେକ୍ଟର ଜଳ, ଯାହାକି ପୂର୍ଣ୍ଣ ଗଚ୍ଛିତ ଜଳର ୨.୭୪ ପ୍ରତିଶତ। ଯଦି ଏହି ପରିମାଣର ଜଳକୁ କେନାଲରେ ଛଡ଼ାଯିବ ତେବେ ଗୋଟିଏ ଦିନ ମଧ୍ୟ ଯାଇପାରିବ ନାହିଁ। ଯାହା ଫଳରେ କେନାଲରେ ପାଣି ଛାଡିବା ସମ୍ଭବ ନୁହେଁ। ବିଜେପି ସଭାପତି ଶ୍ରୀ ମଳିକ ଗତ ରବିଚାଷ ପାଇଁ ଜଳ ଅଧିକ ଖର୍ଚ୍ଚ କରିବା ଯୋଗୁଁ ବାଘୁଆ ଜଳଭଣ୍ଡାରରେ ପାଣି ନାହିଁ ବୋଲି ଅଭିଯୋଗ କରିଥିଲେ। ଯଦି ତୁରନ୍ତ ବାଘୁଆ କେନାଲ ଦ୍ୱରା କ୍ଷେତକୁ ପାଣି ଦିଆନଯାଏ ତେବେ ବିଜେପି ନେତୃତ୍ୱରେ କୁଆନଳା ଚାଷୀମାନେ ଆନ୍ଦୋଳନ କରି ରାସ୍ତ ଅବରୋଧ କରିବେ ବୋଲି କହିଥିଲେ। ହେଲେ ପ୍ରଶ୍ନ ଉଠୁଛି ବିଜେପି ସଭାପତି ଶ୍ରୀ ମଳିକ, ସହ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ଭଲଭାବେ ଜାଣିଛନ୍ତିଯେ ଜଳଭଣ୍ଡାରରେ ପାଣି ନାହିଁ, ତେଣୁ କେନାଲରେ ଚାଷ ଜମିକୁ ପାଣି କଦାପି ଆସିପାଇବ ନାହିଁ। ତଥାପି ବାଘୁଆ ଜଳଭଣ୍ଡାରରୁ ପାଣି ଛଡା ନଗଲେ ରାସ୍ତାରୋକ ଆନ୍ଦୋଳନ ହେବ ବୋଲି କହିଲେ କିପରି ? ଅବଶ୍ୟ ସେ ଚାଷୀମାନଙ୍କ ସପକ୍ଷରେ କହିଥିଲେ ଯେ ଚାଷ କରିନପାରି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସରକାର ତୁରନ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରନ୍ତୁ। ଏହି ଦାବି ଯଥାର୍ଥ ଓ ସ୍ୱାଗତ ଯୋଗ୍ୟ । ମାତ୍ର ବାଘୁଆ ଜଳଭଣ୍ଡାରରେ ଜଳ ଗଚ୍ଛିତ ନଥିବା ବେଳେ କେନାଲରେ ପାଣି ଛାଡିବାକୁ ଦାବୀ କରିବା ଓ ରାସ୍ତାରୋକ ସଦୃଶ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଚେତାବନୀ ନେବା ଗ୍ରହଣୀୟ ହୋଇନପାରେ। ସହ ନିର୍ବାହୀ ଯନ୍ତ୍ରୀ ଉଭୟ ବାଘୁଆ ଜଳ ଭଣ୍ଡାର ଓ ଧନେଇ ଜଳ ଭଣ୍ଡାର ର ମୁଖ୍ୟ ଅଧିକାରୀ ଅଟନ୍ତି। ଧନେଇ ଜଳଭଣ୍ଡାର ର ଆୟକାଟ ମଧ୍ୟରେ ଥିବା ୯୫ ପ୍ରତିଶତ ଜମିରେ ଖରିଫ ଧାନ ଚାଷ ଶେଷ ହୋଇଥିବା ବେଳେ ଜଳ ଭଣ୍ଡାରରେ ଆହୁରି ୫୬ ପ୍ରତିଶତ ପାଣି ଗଛିତ ଅଛି। ସେହି ସହ ନିର୍ବାହୀ ଯନ୍ତ୍ରୀ ବାଘୁଆ ଜଳଭଣ୍ଡାର ଦାୟିତ୍ୱରେ ରହିଥିବା ବେଳେ ତାଙ୍କର ଅବହେଳା ଯୋଗୁଁ ବାଘୁଆ ଜଳଭଣ୍ଡାରରେ ପାଣି ଗଛିତ ରଖିବାରେ ଅବହେଳା କରିଛନ୍ତି କହିହେବନାହିଁ। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ଧନେଇ ଜଳଭଣ୍ଡାରରେ ଶତ ପ୍ରତିଶତ ଜଳ ଗଛିତ ହୋଇ ପାରିଥିବା ବେଳେ ବାଘୁଆ ଜଳଭଣ୍ଡାରର ଉପର ମୁଣ୍ଡରେ ସ୍ୱଳ୍ପ ବର୍ଷା ଯୋଗୁଁ ମାତ୍ର ୭.୫୫ ପ୍ରତିଶତ ପାଣି ଗଛିତ ଥିଲା। ତଥାପି ଭବିଷ୍ୟତରେ ବର୍ଷା ହେବ ଆଶା ରଖି ଚାଷୀମାନଙ୍କ ଚାଷକାର୍ଯ୍ୟ ହୋଇପାରିବ ଚିନ୍ତା କରି ବାଘୁଆ ଜଳଭଣ୍ଡାରରୁ କେନାଲରେ ପାଣି ଛାଡିବା ପରେ ଶୂନ୍ୟ ପ୍ରତିଶତକୁ ଜଳସ୍ତର କମିବା ପରେ କେନାଲରେ ପାଣି ଯିବା ବନ୍ଦ ହୋଇଯାଇଥିଲା । ଗତ ରବି ଫସଲ ଚାଷ ପାଇଁ ମୁଷ୍ଟିମେୟ ଲୋକଙ୍କ ପାଇଁ ଅଯଥା ପାଣି ଛାଡିଥିବା ନେଇ ଶ୍ରୀ ମଳିକ ଅଭିଯୋଗ କରିଥିଲେ। ଏହି ବିଷୟ ବୁଝିବା ପରେ ଜଣା ପଡ଼ିଛି ଯେ ଗତବର୍ଷ ୧୫-୧୧-୨୦ ତାରିଖରେ ଖରିଫ ଚାଷ ପାଇଁ ଜଳ ଯୋଗାଣ ବନ୍ଦ ହୋଇଥିବା ବେଳେ ବାଘୁଆ ଜଳ ଭଣ୍ଡାରରେ ଗଚ୍ଛିତ ଥିଲା ୧୫୦୦ ହେକ୍ଟମିଟର ଜଳ। ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଘୁଆ ଜଳ ଭଣ୍ଡାରରୁ ଉଭୟ ବୁଗୁଡା ଓ ପୋଲସରା ବ୍ଲକର ୧୮୦୦ ହେକ୍ଟର ଜମିରେ ରବି ଫସଲ ଚାଷ ପାଇଁ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ପ୍ରକାରେ ରବିଚାଷ ପାଇଁ ୧୨୦୦ ହେକ୍ଟମିଟର ପାଣି ବାଘୁଆ କେନାଲରେ ଛଡ଼ାଯାଇଥିଲା। ୧୮୦୦ ହେକ୍ଟର ଜମିରେ ହଜାର ହଜାର ଚାଷୀ ରବି ଫସଲ କରିଥିବା ବେଳେ ମୁଷ୍ଟିମେୟ ଲୋକଙ୍କ ପାଇଁ ବାଘୁଆ କେନାଲରେ ପାଣି ଛଡା ଯାଇଥିବା କହିବା ଠିକ ହେବନାହିଁ। ଅବଶିଷ୍ଟ ରହିଥିବା ୩୦୦ ହେକ୍ଟମିଟର ପାଣିରୁ ଜନସ୍ୱାସ୍ଥ୍ୟ ବିଭାଗ ପତ୍ର ପ୍ରକାରେ ବୁଗୁଡା ଓ ପୋଲସରା ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ଜଳ ଛଡ଼ାଯାଇଛି। ଯାହାଫଳରେ ଜଳର ଅପଚୟ ହୋଇଛି ବୋଲି କହିବା ଠିକ ହୋଇନପାରେ। ସ୍ଵଳ୍ପ ବୃଷ୍ଟି ଯୋଗୁଁ ଗଞ୍ଜାମ ଜିଲ୍ଲାର ଧନେଇ ଓ ବାଘଲଟି ଦୁଇଟି ଜଳ ଭଣ୍ଡାର ବ୍ୟତୀତ ଅନ୍ୟ ସମସ୍ତ ଜଳଭଣ୍ଡାରରେ ଜଳସ୍ତର କମ ଥିବା ଯୋଗୁଁ କେନାଲରେ ପାଣି ଛଡ଼ାଯାଉନାହିଁ। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦ ପ୍ରତିଶତ ଜମିରେ ଖରିଫ ଚାଷ କାର୍ଯ୍ୟ ହୋଇଥିବା ବେଳେ ୯୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ ହୋଇପାରିନାହିଁ। ଧାନ ତଳି ୨୧ ଦିନରୁ ୩୦ ଦିନ ମଧ୍ୟରେ ରୋଇବା ଠିକ ସମୟ ହୋଇଥିବା ବେଳେ ବର୍ତ୍ତମାନ ଧାନ ତଳି ପ୍ରାୟ ଦୁଇମାସ ହୋଇଯାଇଥିବା ଯୋଗୁଁ ବର୍ତ୍ତମାନ ବର୍ଷା ହେଲେ ମଧ୍ୟ ଭଲ ଫସଲ ନହୋଇ ଚାଷୀକୁଳ ମରୁଡ଼ିର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ