ଚିଲିକାରେ ସେତୁ ନିର୍ମାଣ ପାଇଁ ବହୁ ସଂଗଠନ ଅଣ୍ଟା ଭିଡ଼ିଲେ

ପୁରୀ, (ୱାଇଏନ୍‌ଏସ୍‌): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ପଣସପଦା ଠାରେ ସାଧାରଣ ନାଗରିକ ମଂଚ ତରଫରୁ ଚିଲିକା ହ୍ରଦରେ ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ସେତୁ ନିର୍ମାଣ ଦାବିରେ ଏକ ଖୋଲା ମଂଚ ବିତର୍କ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚର ସଭାପତି ରଞ୍ଜନ କୁମାର ଦଳାଇ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ରାଜ୍ୟପାଳ ପୁରସ୍କାର ପ୍ରାସ୍ତ ଅବସରପ୍ରାସ୍ତ ପ୍ରଧାନ ଶିକ୍ଷକ କେଳୁଚରଣ ଜେନା, ଉପକୂଳ ବାଲିବନ୍ତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଆଇନଜୀବୀ ଦିଗମ୍ବର ବେହେରା,ସିପିଏମ ଜିଲ୍ଲା ସମ୍ପାଦକ ଭୀମସେନ ସ୍ୱାଇଁ,ସିପିଆଇ ନେତା ଅଧିବକ୍ତା ବ୍ରଜବନ୍ଧ୍ରୁ ପ୍ରଧାନ, ଶିକ୍ଷାବିତ ଆଦିକନ୍ଦ ଶ୍ରୀଚନ୍ଦନ, ଶ୍ରମିକ ନେତା ପିତବାସ ବେହେରା, ବ୍ରହ୍ମଗିରି ସଚେତନ ନାଗରିକ ମଂଚର ଆବାହକ ପବିତ୍ର ମୋହନ ଦଳାଇ, ଜୟ ଜବାନ ଜୟ କିଶାନ ପିସ୍ ଫାଉଣ୍ଡେସନ ସଂଯୋଜକ ଶ୍ୟାମଳେନ୍ଦୁ ପ୍ରଧାନ, ଯୁବନେତା ଆର୍ତ୍ତତ୍ରାଣ ପ୍ରଧାନ, ନାରୀନେତ୍ରୀ ରଞ୍ଜିତା ସାହୁ, ବନୀତା ବରାଳ, ବନବାସିନୀ ମହାପାତ୍ର,ପୁଷ୍ପଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଚିଲିକା ହ୍ରଦ ଉପରେ ସେତୁ ନିର୍ମାଣ ସପକ୍ଷରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।
ପ୍ରାରମ୍ଭରେ ଶ୍ରମିକ ନେତା ପରେଶ୍ କୁମାର ଜାଲି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଜେପି ନେତା ଶ୍ରୀ ଜଗଦେବ କହିଥିଲେ ଯେ, ବ୍ରହ୍ମଗିରିରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ବ୍ରିଜ ହୋଇପାରୁନାହିଁ । ତେଣୁ ଜନସାଧାରଣ ଦଳମତ ନିର୍ବିଶେଷରେ ଚିଲିକାରେ ସେତୁ ନିର୍ମାଣ ପାଇଁ ଗଣ ଆୋନ୍ଦଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଇଁ ଭାରତମାଳା ପରିଯୋଜନା ନକ୍ସା ଦୀଘାରୁ ଗୋପାଳପୁର ଭାୟା ସାତପଡ଼ା ଚିଲିକା ନହୋଇ ଟାଙ୍ଗୀ ଠାରେ ସଂଯୋଗ ହୋଇ ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇଛି । ଆଇନଜୀବୀ ଦିଗମ୍ବର ବେହେରା କହିଥିଲେ ଯେ, ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପ୍ରସ୍ତାବ କ୍ରମେ ବର୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନ୍ୟାନ୍ୟ ଦଳର ନେତା ତଥା ଅଂଚଳର ପଚାଶ ଜଣ ବୁଦ୍ଧିଜିବୀ ମାନଙ୍କୁ ନେଇ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଆୋନ୍ଦଳନକାରୀ ଅନୁଷ୍ଠାନର ମୁଖ୍ୟ, ଜାତୀୟ ଉଚ୍ଚ ସଡ଼କ ପଥ କର୍ତୃପକ୍ଷ ରହିବେ ଓ ସେ ଏହାର ଆବାହକ ରହିବେ । ସମସ୍ତ ଆୋନ୍ଦଳନକାରୀ ଗୋଟିଏ ଛତା ତଳେ ରହି ସାମୁହିକ ଭାବେ ନିଷ୍ପତି ଗ୍ରହଣ କରିବାକୁ ଓ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ଏହାର ନିଷ୍କର୍ଷ ଆଧାରରେ ଚିଲିକାରେ ସେତୁ ନିର୍ମାଣ ପାଇଁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଆଗାମୀ ୧୯ ତାରିଖ ଦିନ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନେ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭୁବନେଶ୍ୱର ଠାରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବ ବୋଲି କେଳୁଚରଣ ଜେନା ସଭାରେ ସୂଚନା ଦେଇଛନ୍ତି । ଚିଲିକାରେ ସେତୁ ନିର୍ମାଣ କରାଗଲେ ଏଠାରୁ ୪୩ କିମି ଦୂରରେ ଅବସ୍ଥିତ ନଳବଣ ପକ୍ଷୀ ଅଭୟାରଣ୍ୟ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଛି । ଇର଼ୱ୍‌ଆଡି ଡଲ୍‌ଫିନ୍ ମାନଙ୍କ ପାଇଁ ଏକ ସଂରକ୍ଷଣ ଅଂଚଳ ଚିହ୍ନଟ କରିବା ପାଇଁ ସଭାରେ ବକ୍ତାମାନେ କହିଛନ୍ତି ।ଶେଷରେ ମଂଚର ସମ୍ପାଦକ ବିକ୍ରମ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ