ମହିଳା ସଶକ୍ତ କରଣ ପାଇଁ ପ୍ରୟାସ : ବ୍ଳକ ସ୍ତରୀୟ ମେଗା ସମନ୍ୱୟ ମେଳା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):-ଓଡ଼ିଶାର ପୁର ପଲ୍ଲୀରେ ଜୀବିକା ନିର୍ବାହ କରୁଥିବା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ସାଧନ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।ବ୍ୟାଙ୍କ ଜରିଆରେ କମ ସୁଧ ହାରରେ ଆର୍ଥିକ ସହାୟତା ପାଇ କ୍ଷୁଦ୍ର ଶିଳ୍ପ ସ୍ଥାପନ ମାଧ୍ୟମରେ ଯେପରି ରୋଜଗାର ବୃଦ୍ଧି ପାଇବ ଓ ସ୍ୱାବଲମ୍ବୀ ଜୀବନ ଯାପନ କରି ସେମାନେ ସଶକ୍ତ ହୋଇପାରିବେ ସେ ଦିଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତତ୍ପର ହୋଇ ଉଠିଛି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି ବ୍ଳକ ସ୍ଥିତ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ତରଫରୁ ସୋମବାର ବ୍ଳକ ସ୍ତରୀୟ ମେଗା ସମନ୍ୱୟ ମେଳା ଆୟୋଜିତ ହୋଇଥିଲା।ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ବିଡ଼ିଓ ସୁବ୍ରତ କୁମାର ଜେନା ଉପସ୍ଥିତ ଥିଲେ।ସମ୍ମାନିତ ଅତିଥି ଭାବେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୁଖ ଯୋଗ ଦେଇଥିଲେ।ବିଡ଼ିଓ ଶ୍ରୀ ଜେନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଆର୍ଥିକ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ପ୍ରତିବନ୍ଧକ ଓ ସେ ସବୁର ନିରାକରଣ ସକାଶେ ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନରେ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ।ବ୍ୟାଙ୍କ ଋଣ ସହାୟତାକୁ ବିନିଯୋଗ କରି ବିଭିନ୍ନ ଲଘୁ ଶିଳ୍ପ ସଂସ୍ଥା ମାଧ୍ୟମରେ ଉପାର୍ଜନକ୍ଷମ ଏବଂ ସ୍ୱାବଲମ୍ବୀଶୀଳ ହେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।ପରେ ସ୍ଥାନୀୟ ବ୍ଳକର ୩୮୬ମହିଳା ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ଶାଖା ପରିଚାଳକ ମାନେ ୯୦୨.୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଗତି ସହାୟକ ରାମଚନ୍ଦ୍ର ମିଶ୍ର, ବ୍ଳକ ପ୍ରୋଗ୍ରାମ ପରିଚାଳକ ରବୀନ୍ଦ୍ର ନାଥ ପାତ୍ର,ବନଜା ବେହେରା, ସୋନାଲି ବେହେରା,ୱାଇ.ଶୋଭାଙ୍କ ସମେତ ୧୦ଟି ବ୍ୟାଙ୍କର ୧୫ ଜଣ ଶାଖା ପରିଚାଳକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ