ଅବ୍ୟବସ୍ଥାରେ ଗତି କରୁଛି ମୋହନା ସ୍ଵାସ୍ଥ୍ୟକେନ୍ଦ୍ର, ସିଡିଏମଓଙ୍କ ପଡ଼ୁନି ନଜର

ମୋହନା, (ଅଂଶୁମାନ ପଣ୍ଡା): ରାଜ୍ୟର ଦ୍ୱିତୀୟ ବୃହତ୍ତମ ବ୍ଲକ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ଜନସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ହୋଇଥିବା ବେଳେ ଏଠାକାର ଜନସାଧାରଣଙ୍କ ଅନୁପାତ ଅନୁସାରେ ୬୦ ଭାଗ ଆଦିବାସୀ, ୨୦ଭାଗ ଦଳିତ ଓ ୨୦ଭାଗ ଅନ୍ୟାନ୍ୟ ବର୍ଗର ଲୋକ ବାସ କରନ୍ତି। ଏମାନଙ୍କର ଜୀବିକା ହେଲା ବଣଜଙ୍ଗଲରୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା ଓ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରିବା। ଏବେ ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆଜିବି ଅନ୍ଧ ବିଶ୍ଵାସରେ ବଶବର୍ତ୍ତୀ ହୋଇ ସ୍ୱାସ୍ୟୁ ଚିକିତ୍ସା ଅଭାବରୁ ଜଡିବୁଟି, ଚେରମୂଳି ,ଝାଡପୁଙ୍ଖ ଓ ଗୁଣିଗାରୁଡିକୁ ବିଶ୍ୱାସ କରି ଆସୁଛନ୍ତି। କାରଣ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଞ୍ଚଳ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ପ୍ରଶାସନର ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ଥାନୀୟ ବ୍ଳକର ସାଧାରଣ ଜନତା ଉଚିତ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯୩୨ ମସିହାରୁ ଯେଉଁ ପୁରୁଣା କେଠାରେ ରୋଗୀ ଚିକିତ୍ସା କରାଯାଉଥିଲା ଏବେ ବି ସେଠାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ମୋହନା ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆନ୍ତରିକତା ଯୋଗୁଁ ୩୦ ଶର୍ଯ୍ୟା ବିଶିଷ୍ଟ ଦୁଇ ମହଲା କୋଠା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ୩୦ ଶର୍ଯ୍ୟା ବଦଳରେ ମାତ୍ର ୧୦ଟି ଶର୍ଯ୍ୟା ବ୍ୟବହାର ହେଉଛି। ବାକି ଶର୍ଯ୍ୟା ଗଲା କୁଆଡ଼େ ? ଦିନକୁ ଦିନ ବ୍ଳକରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ଫାର୍ମାଶିଷ୍ଟ , ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ନର୍ସ ଆଦି କର୍ମଚାରୀଙ୍କ ଅଭାବ ରହିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନେ ରହୁଥିବା ଆବାସ ଗୁଡ଼ିକ ୪୦ ବର୍ଷ ତଳର ପୁରୁଣା ଟାଇଲ ଓ ଆଜବେଷ୍ଟ ଘର। ବର୍ଷାଦିନେ କିମ୍ବା ଅଦିନିଆ ବର୍ଷାରେ ଘର ଛାତରୁ ପାଣି ଗଳୁଛି। ଯାହାଫଳରେ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁଇଟି ବୋର ୱେଲ୍ ଖୋଳାଯାଇଥିବା ବେଳେ ରାତି ଅଧିଆ ଲୁଚାଛପାରେ ପାଇପ କାଟି କିଛି କର୍ମଚାରୀ ପାଣି କନେକସନ ନେଇଛନ୍ତି । ଯାହାଫଳରେ କେନ୍ଦ୍ରରେ ରୋଗୀ ଓ କର୍ମଚାରୀମାନଙ୍କୁ ପାଣି ମିଳୁନି। ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକରେ ସାଇନବୋର୍ଡ ନାହିଁ । ବାହାରୁ ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଚାଳକ ମେଡ଼ିକାଲ ଜାଣି ନ ପାରି ଆଗକୁ ଚାଲିଯାଆନ୍ତି। ଦୀର୍ଘଦିନ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ ଭାଙ୍ଗି ପତି ରହିଛି। ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ପରିଦର୍ଶନରେ ଆସିଥିବାବେଳେ ସ୍ୱାସ୍ଥ୍ୟ କର୍ମଚାରୀମାନେ ମୌଳିକ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଥିଲେ। ତଥାପି ସମସ୍ୟାର ସମାଧାନ ହୋଇପାରୁନି। ଲୁହାଗୁଡି ସ୍ୱାସ୍ଥ୍ୟ, ଉପକେନ୍ଦ୍ରର ଏଏନଏମ ବହୁ ଦିନ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଓ ଚୋରାରେ ବିଦ୍ୟୁତ ନେବା ଘଟଣା ଖବର କାଗଜରେ ପ୍ରସାରଣ ହୋଇଥିଲେ ମଧ୍ୟ ଅଧିକାରୀ ନିରବଦ୍ରଷ୍ଟା ସାଜିବା ଅଞ୍ଚଳବାସୀଙ୍କୁ ବିସ୍କିତ କରିଛି । ସେହିପରି ଅନ୍ତରବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ, ଏଏନଏମ ରୋଗୀଙ୍କୁ ଜଟିଳ ଚିକିତ୍ସା କରି ଅର୍ଥ ଶୋଷଣ କରୁଥିବା ଅଞ୍ଚଳବାସୀ ଜିଲ୍ଲାପାଳ, ୫ଟି ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ, ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।ଏହା ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ଚୁତଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ହୋଇଥିଲା। ଶିକୁଳିପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଡାକ୍ତର ଅନୁପସ୍ଥିତ ରହିବା, ରୋଗୀଙ୍କୁ ଅସଦବ୍ୟବହାର କରିବାକୁ ନେଇ ସରପଞ୍ଚ ଓ ଅଞ୍ଚଳବାସୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତଥାପି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ପାତ୍ର କୌଣସି ଗୋଟିଏ ସମସ୍ୟାର ସମାଧାନ କି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ଏଣୁ ବ୍ଳକବାସୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ, କିଛି ସ୍ୱାସ୍ଥ୍ୟ୍ କର୍ମୀଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଅଞ୍ଚଳବାସୀ କହିଛନ୍ତି। ଶୁକ୍ରବାର ଦିନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପାତ୍ରଙ୍କୁ ଗଣମାଧ୍ଯମ ପ୍ରତିନିଧିମାନେ ସ୍ଵାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରିବାରୁ ସେ କୌଣସି ପ୍ରଶ୍ନର ସଠିକ ଉତ୍ତର ଦେଇନପାରି ତରବର ହୋଇ ଚୌକିରୁ ଉଠି ପଳାଇଥିଲେ।ଏ ସଂପର୍କରେ ଅନୁ ସ୍ଵଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାର୍କାଙ୍କୁ ଅବଗତ କରାଯିବାରୁ ସେ ଏହି ବିଷୟ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ଯ।ନ ଦେଇ ସମସ୍ୟାର ସମାଧାନ କରାଯିବା ବୋଲି କହିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ