କୋଣାର୍କ ନାଟ୍ୟ ମଣ୍ଡପରେ ଝୁଲଣ ଉତ୍ସବ ର ତୃତୀୟ ସଂଧ୍ୟା: ମନ ମୋହିଲା ଓଡ଼ିଶୀ ଓ କୁଚିପୁଡି ନୃତ୍ୟ

କୋଣାର୍କ ( ଗଣେଶ ବେହେରା): ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ “କୋଣାର୍କ ନାଟ୍ୟ ମଣ୍ଡପ” ରେ ପାରମ୍ପରିକ ଝୁଲଣ ଉତ୍ସବ ଉପଲକ୍ଷେ ଅଗଷ୍ଟ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଅନ୍ ଲାଇନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଥିଲା ତୃତୀୟ ସଂଧ୍ୟା। ବୟୋଜ୍ୟେଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ଗୀତ ଓ ଭଜନ ଗାୟନ ଜରିଆରେ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରି ଏହି ସାଂସ୍କୃତିକ ସଂଧ୍ୟା ର ଶୁଭାରମ୍ଭ କରିଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଉଦୀୟମାନ ଯୁବ ତବଲା ବାଦକ ସିଦ୍ଧାର୍ଥ ଚକ୍ରବର୍ତ୍ତୀ ପଉନେ ତାଳ ମାତ୍ରରେ ପରିବେଷଣ କରି ସମସ୍ତଙ୍କୁ ବିଭୋର କରିଥିଲେ। ଦ୍ଵିତୀୟ ପ୍ରସ୍ତୁତିରେ ଭୁବନେଶ୍ଵରର ସାରଦା ଭାରତୀ ଓଡ଼ିଶୀ ନୃତ୍ୟରେ ମଙ୍ଗଳା ଚରଣରେ ଅଷ୍ଟଶମ୍ଭୁ ଓ ପରେ ପରେ ଶ୍ୟାମ ସମ କମନୀୟ ଅଭିନୟ ଏହି ସାଂସ୍କୃତିକ ସଂଧ୍ୟାକୁ ରୁଦ୍ଧିମନ୍ତ କରିଥିଲା। ତୃତୀୟ ଚରଣରେ ଭୁବନେଶ୍ଵରର ତାପସ ନାୟକଙ୍କ ଓଡିଶୀ ରାଗ ଦେବ ଗାନ୍ଧାରୀ ଓ ଝୁଲଣ ଗୀତ ଝୁଲନ୍ତି ରଙ୍ଗେର ସୁନ୍ଦର ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିବା ଦର୍ଶକ ଅଭିଭୂତ ହୋଇଥିଲେ। ସଂଧ୍ୟାର ଶେଷ ପରିବେଷଣରେ ଆମେରିକାର କୁଚିପୁଡି ନୃତ୍ୟ ଶିଳ୍ପୀ ଡା ପ୍ରଣମ୍ୟା ସୁରୀଙ୍କ ୟା ମୁକ୍ତାମଣି ଓ ଶ୍ରୀ ରାମଚନ୍ଦ୍ର ର ମନଛୁଆଁ ଅଭିନୟ ସମସ୍ତଙ୍କୁ ଭକ୍ତି ରସରେ ବାନ୍ଧି ତୋଳିଥିଲା। କୋଣାର୍କ ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂହଙ୍କ ଆବାହକତ୍ବରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓଡିଆରେ ବିଶ୍ଵଜିତ ବଳିଆରସିଂହ ସଂଯୋଜନା କରିଥିଲେ। ଆଇନଜୀବି ପ୍ରତାପ ମହାନ୍ତି, ସମାଜସେବୀ ବାଦଲ ଦାଶ, ଯୁବ ନେତା ସୁବାଷ ନାୟକ, ବିଶିଷ୍ଟ ସମାଜସେବୀ , କୋଣାର୍କ ନାଟ୍ୟ ମଣ୍ଡପ ସଭାପତି ଖଗେଶ୍ବର ଖଣ୍ଡାୟତରାୟ, କାର୍ଯ୍ୟ ନିର୍ବାହୀ ସଭାପତି ଡ଼ ରମଣୀ ରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ସମ୍ପାଦକ ଶିବାଶିଷ ପ୍ରଧାନ ଓ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ଏହି ଫେସବୁକ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ପ୍ରତି ବର୍ଷ ଏହି ଉତ୍ସବ ଅବସରରେ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ରାଧାକୃଷ୍ଣଙ୍କ ରାସଲୀଳା ର ଝୁଲଣ ଝାଙ୍କି ପ୍ରଦର୍ଶିତ ହୋଇ ବିଧି ପରମ୍ପରାକୁ ପାଥେୟ କରି ଝୁଲଣ ଉତ୍ସବ ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗାରିମାକୁ ଲୋକାଭିମୁଖୀ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ