୨୦୦ କୋଟିର ହେରୋଇନ ଜବତ
ଅମୃତସର, (ୱାଇଏନ୍ଏସ୍): ପାକିସ୍ତାନ ସୀମାରୁ ତସ୍କରୀ କରି ଅଣାଯାଇଥିବା ୪୦ କେଜି ହେରୋଇନକୁ ଜବତ କରିଛି ବିଏସଏଫ । ଯାହାର ଦର ଅନ୍ତରାଷ୍ଟ୍ରୀୟ ବଜାରରେ ୨୦୦ କୋଟି ହେବ । ବିଏସଏଫ ଓ ପୋଲିସର ମିଳିତ ଅଭିଯାନ ସମୟରେ ଏହି ବିପୁଳ ପରିମାଣର ହେରୋଇନ ସହିତ ୧୯୦ ଗ୍ରାମ୍ ଅଫିମ ଜବତ ହୋଇଛି । ଏହି ପାକିସ୍ତାନୀ ତସ୍କର ମାନଙ୍କ ଉପରେ ବିଏସଏଫ ଯବାନ ମାନେ ଗୁଳି ଚଳାଇଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ସେମାନେ ସେଠାରୁ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ ।ଏହି ପାକିସ୍ତାନୀ ତସ୍କର ମାନେ ଦାଉଦ ପୋଷ୍ଟ ପିଲର ନଂ ୫୭/୨ ନିକଟରେ ପାଇପ ଯୋଗେ ହିରୋଇନ ଭରି କଂଟାର ତାର ଜରିଆରେ ଭାରତ ପଠାଉଥିଲେ । ବିଏସଏଫ ୭୩ ବାଟାଲିୟନର ବିଓପି ପଞ୍ଜଗରାଇଆ ରେ ମୁତୟନ ଥିବା ଯବାନ ମାନେ ସର୍ଚ୍ଚ ଅପରେସନ ସମୟରେ ଏହା ଦେଖିବାକୁ ପାଇଥିଲେ । ଏବଂ ତସ୍କର ମାନଙ୍କ ଉପରକୁ ୬୨ଟି ଗୁଳି ଚଳାଇଥିଲେ ।ବିଏସଏଫ ଗୁରଦାସପୁର ସେକ୍ଟରର ଡିଆଇଜି ପ୍ରଭାକର ଯୋଶୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବିଏସଏଫ ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ ସମୟରେ ଏହି ବିପୁଳ ପରିମାଣର ହେରୋଇନ ଜବତ ହୋଇଛି ।


