ଦୁଇ ପୁଅର ଅକାଳ ବିୟୋଗ ପରେ ରୋଗ ଶଯ୍ୟାରେ ସାନପୁଅ; ଔଷଧ ଟୋପାଏ କିଣିବାକୁ ବିଧବା ମାଆର ନାହିଁ ସମ୍ବଳ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ ): ପ୍ରଥମେ ନିଜ ଆଖି ଆଗରେ ନିଜର ଇହ କାଳ ପର କାଳର ଦେବତା ସ୍ୱାମୀକୁ ହରାଇବା ପରେ ସ୍ତ୍ରୀ ଟିଏ ଭାବି ଥାଏ ନିଜ ସନ୍ତାନସନ୍ତତିଙ୍କ ମୁହଁକୁ ଚାହିଁ ବଞ୍ଚିଯିବ ବୋଲି I କିନ୍ତୁ ତା ଆଖି ଆଗରେ ଯଦି ସେ ଜଣଙ୍କ ପରେ ଜଣେ ଯୁବକ ପୁଅର ଅକାଳ ମୃତ୍ୟୁ ଦେଖେ ତେବେ ତାର ବଞ୍ଚିବା ଯେ କେତେ ଦୁର୍ବିସହ ହୋଇପଡ଼େ ତାହା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ବୃଦ୍ଧା ମାଆ କମା ଡାକୁଆ (67) ଙ୍କ ଲୁହ ଛଳ ଛଳ ଆଖିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼େ I ଘଟଣାଟି ହେଉଛି ସ୍ୱାମୀଙ୍କ ମୃତ୍ୟୁ ପରେ କମା ତିନି ପୁଅ ଏବଂ ଗୋଟିଏ ଝିଅକୁ ବହୁ କଷ୍ଟରେ ପ୍ରତିପୋଷଣ କରି ଆଶା କରିଥିଲେ ତାଙ୍କର ବାର୍ଦ୍ଧକ୍ୟ ସମୟରେ ସେମାନେ ତାର ସାହା ହେବେ I କିନ୍ତୁ ତାଙ୍କ ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା I ପ୍ରଥମେ ଯୁବକ ଅବସ୍ଥାରେ ଦୁଇ ପୁଅ ଅକାଳ ମୃତ୍ୟୁ ବରଣ କରିଥିବା ବେଳେ ଏବେ ପୁଣି ସାନ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ନିଜ ଆଖିରେ ଦେଖି ବୃଦ୍ଧା ମାଆଟି ନିର୍ବାକ ହୋଇଯାଇଛି I ସୂଚନା ଥାଉ କି କମା ପୂର୍ବରୁ ନିଜ ସ୍ଵାମୀଙ୍କୁ ହରାଇ ନିଜର ତିନି ପୁଅ ବାୟା, ପ୍ରଫୁଲ୍ଲ, ରୋହିତ୍ ଓରଫ ପାଣ୍ଡା ଏବଂ ଗୋଟିଏ ଝିଅ ଅଞ୍ଜଳୀକୁ ଧରି ପର ଘରେ ମୂଲ ଲାଗି ଚଳି ଆସୁଥିଲେ I କିନ୍ତୁ ବିଧିର ବିଧାନ ଥିଲ ଅଲଗା I ପ୍ରଥମେ ବଡ଼ ପୁଅ କୌଣସି ରୋଗରେ ପୀଡିତ ହୋଇ ଚିକିତ୍ସା ଅଭାବରୁ 27 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲା I ତାହାର କିଛି ବର୍ଷ ପରେ ମଝିଆ ପୁଅ ପ୍ରଫୁଲ୍ଲ ମଧ୍ୟ ଅନୁରୂପ ଭାବେ ମାତ୍ର 34 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲା I ଫଳରେ କମା ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହିତ ନିଜ ସାନ ପୁଅ ରୋହିତ୍ ଓରଫ ପାଣ୍ଡାକୁ ଆଶ୍ରୟ କରି ଏକ ଭଙ୍ଗା କୁଡ଼ିଆ ଘର ଭଡ଼ା ନେଇ ରହୁଥିଲେ I ମାଆ ପର ଘରେ କାମ କରିବା ସହିତ ପୁଅ ରୋହିତ ମଧ୍ୟ ଦାଦନ ଖଟି ନିଜ ନିଜର ପେଟ ପୋଷିବା ସହିତ ମୃତ ଦୁଇ ଭାଇଙ୍କ ଚିକିତ୍ସା ଏବଂ ଶୁଦ୍ଧି କ୍ରିୟା ସହିତ ଝିଅ ଅଞ୍ଜଳିର ବାହାଘର ପାଇଁ କରିଥିବା କରଜ ଶୁଝିବାକୁ ଚେଷ୍ଟା କରୁଥିଲେ I ଏହା ଭିତରେ ସେମାନଙ୍କ ପରିବାରକୁ ପୁଣି ଏକ ଦୁଃଖର କଳା ବାଦଲ ମାଡ଼ି ଆସିଛି I ସାନ ପୁଅ ରୋହିତ (36)ର ଖାଦ୍ୟ ନଳୀ ସଂକ୍ରମଣ ହେବା ଯୋଗୁଁ ସେ ଶଯ୍ୟାଶାୟୀ ହୋଇପଡିରହିଛି I ତାର ଚିକିତ୍ସା ପାଇଁ କମା କିଛି ଟଙ୍କା କରଜ କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି I ଏବେ କିଛି ସପ୍ତାହ ହେବ ରୋହିତ ଅତି ଗୁରୁତର ହୋଇ ପଡିବା ସହ ଶଯ୍ୟାରୁ ଉଠି ବସିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଛି I ମାଆ କମା ମଧ୍ୟ ନିଜର ଏକ ମାତ୍ର ପୁଅକୁ ବଞ୍ଚାଇ ରଖିବା ପାଇଁ ମେଡିକାଲ୍ କୁ ଦୌଡ଼ି ଦୌଡ଼ି ଅସହାୟ ହୋଇପଡିଛନ୍ତି I ନିଜ ଆଖି ଆଗରେ ନିଜର ଯୁବକ ସ୍ୱାମୀ ଏବଂ ଦୁଇ ଭେଣ୍ଡା ପୁଅକୁ ହରାଇ ସାରିବା ପରେ ସାନ ପୁଅର ଅବସ୍ଥା ଦେଖି ସେ କେବଳ ଭୋ ଭୋ ହୋଇ କାନ୍ଦିବା ସହିତ ନିଜ ପୁଅକୁ ବଞ୍ଚାଇ ଦେବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି I ଦୁଇ ଦିନ ତଳେ ରୋହିତର ଅବସ୍ଥା ଅତି ଗୁରୁତର ହୋଇ ପଡ଼ିବାରୁ କମା କାମ କରୁ୍ଥିବା ବାବୁଙ୍କ ଘରୁ କିଛି ଟଙ୍କା କରଜ ଆଣି ରୋହିତ୍ କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେବା ପାଇଁ ବାହାରିଥିଲେ I କିନ୍ତୁ ସୀମିତ ସମ୍ବଳ ଭିତରେ କମା ରୋହିତକୁ ବ୍ରହ୍ମପୁର ନେବାକୁ ସାହସ କରି ପାରିନଥିବା ବେଳେ ସେ ଦୁଇ ଦିନ ହେବ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣା ପଡିଛି I ଏନେଇ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରେ ସେ ତାଙ୍କର ସାଧ୍ୟମତେ କମାଙ୍କ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଥିବା ବେଳେ ରୋହିତର ଚିକିତ୍ସା ସହାୟତା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି I କମାଙ୍କ ଏହି ଦୁଃଖ ଶୁଣିବା ପରେ ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର କମାଙ୍କ ପାଇଁ କିଛି ରାସନ୍ ସାମଗ୍ରୀ ଯୋଗାଇଦେବାକୁ ପ୍ରତିଶୃ୍ତି ଦେଇଥିବା ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ