ରାଜ୍ୟ ସରକାରଙ୍କ ଭୋଟ ରାଜନୀତି ଯୋଗୁଁ ମୌଳିକ ସେବାରୁ ବଞ୍ଚିତ ଲୋକେ: ବିଜେପି

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଗସ୍ତ ଅବସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲା ପ୍ରଭାରୀ ଗୋଲକ ମହାପାତ୍ର ଓଡ଼ିଶାର ବିଜେଡି ସରକାରଙ୍କ ଭୋଟ ରାଜନୀତିକୁ ସମାଲୋଚନା କରିଛନ୍ତି । ଜିଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ନବୀନ ସରକାରଙ୍କ ଦୋଷଦୁର୍ଗୁଣ ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନରେ ସରକାରୀ ବିଫଳତା ସମ୍ପର୍କରେ ସମାଲୋଚନା କରିଥିଲେ । ରାଜ୍ୟର ଉନ୍ନୟନକୁ ଗୁରୁତ୍ୱହୀନ କରି ନବୀନ ସରକାର କେବଳ ଭୋଟ ରାଜନୀତିରେ ବ୍ୟସ୍ତ ରହିଥିବା ଶ୍ରୀ ମହାପାତ୍ର ଆରୋପ କରିଛନ୍ତି । ବିଜେଡି ସରକାରଙ୍କର ଦୀର୍ଘ ୨୧ବର୍ଷ ଶାସନରେ ରାଜ୍ୟରେ କୃଷକ, ଶ୍ରମିକ, ଶିକ୍ଷକ, ଯୁବକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ନୀତି ଚରମ ସ୍ଥିତିରେ ପହଞ୍ଚିଛି ବୋଲି ସେ କହିଛନ୍ତି । ପ୍ରତ୍ୟେକ ସରକାରୀ ଯୋଜନାର ହିତାଧିକାରୀ ଚୟନ ଦଳୀୟ ଭିତ୍ତିରେ ଚାଲିଛି । ସରକାରଙ୍କ ଅସହଯୋଗ ପାଇଁ ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ପିଏମ କିଷାନ ଯୋଜନାର ସୁଫଳରୁ ବଞ୍ଚିତ ହୋଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ସେହିଭଳି ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ସ୍ୱୟଂ ବାଲେଶ୍ୱରର ବିକାଶ ଦାୟିତ ନେଇ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି । ଦିନକୁ ଦିନ ଲୋକଙ୍କ ସମସ୍ୟା ବଢ଼ି ଚାଲିଥିବା ବେଳେ ସହରବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତିରେ ଜନ ସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେପି ଏକମାତ୍ର ବିକଳ୍ପ ଭାବେ ଛିଡ଼ା ହେବା ସହ ଆବଶ୍ୟକ ସ୍ଥଳେ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ବାଲେଶ୍ୱର ଜିଲାରେ ବିଜେପିର ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଶ୍ରୀ ମହାପାତ୍ର ଏଡ଼ାଇଯାଇ ସବୁକିଛି ଠିକଠାକ ଚାଲିଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ପ୍ରବକ୍ତା ରଣଜିତ ଦାସ, ଜିଲା ସାଧାରଣ ସମ୍ପାଦକ ପଶର୍ଣୁରାମ ପରିଡ଼ା ଓ ଜିଲା ମିଢ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ