ଅନ୍ଧାରରେ ‘ଟାଟା ପାୱାର’ର ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ
.ବିଭାଗୀୟ ମନ୍ତ୍ରୀ-ସଚିବଙ୍କ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ହେଲା ପାଣିରଗାର
.ଆନ୍ଦୋଳନକୁ ଓହ୍ଲାଇବ ବିଦ୍ୟୁତ ଶ୍ରମିକ-କର୍ମଚାରୀ ମିଳିତ ମଞ୍ଚ
ବାଲେଶ୍ୱର,(ସରୋଜ ପଣ୍ଡା): ରାଜ୍ୟ ସରକାର ଏବଂ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ)ର ମନମୁଖୀ କାର୍ଯ୍ୟଧାରା ଓ ଶ୍ରମିକ ମାରଣ ନୀତି ବିରୋଧରେ ନେସ୍କୋ ବିଦ୍ୟୁତ ଶ୍ରମିକ କର୍ମଚାରୀ ମିଳିତ ମଂଚ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ରେମୁଣା କୁକୁଡ଼ାପଦାସ୍ଥିତ ବିଜେପି କାର୍ଯ୍ୟାଳୟରେ ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ କର୍ମକର୍ତ୍ତା ଡ. ଅନ୍ତର୍ଯ୍ୟାମୀ ମହାପାତ୍ର, ସୀମାଞ୍ଚଳ ପାତ୍ର, ଶୁଭେନ୍ଦୁ ସୂର୍ଯ୍ୟନାରାୟଣ ବେହେରା, ଉମାକାନ୍ତ ପଢ଼ିଆରୀ ପ୍ରମୁଖ ଯୋଗଦେଇ ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ । ଟାଟା ପାୱାରକୁ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ହସ୍ତାନ୍ତର ସମୟରେ ନେସ୍କୋ ଅଧୀନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଓ ଶକ୍ତି ସଚିବ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏବେ ସେମାନଙ୍କୁ ଅଣଦେଖା କରାଯାଉଥିବା ମଞ୍ଚର କର୍ମକର୍ତ୍ତମାନେ ଅଭିଯୋଗ କରିଛନ୍ତି । ସମ୍ପ୍ରତି ଟାଟା ପାୱାର ପକ୍ଷରୁ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବାହାର ରାଜ୍ୟର ଠିକାଦାରୀ ସଂସ୍ଥାମାନଙ୍କୁ କାର୍ଯ୍ୟାଦେଶ ଦିଆଯାଉଥିବା ବେଳେ ଦୀର୍ଘ ୧୫ ବର୍ଷଧରି କାର୍ଯ୍ୟ କରି ଆସୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସମ୍ପୃକ୍ତ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ଏମିତିକି ଠିକାଦାରୀ ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ନୂତନ ଭାବେ ଦରଖାସ୍ତ ଆବେଦନ କରିବାକୁ କୁହାଯାଉଛି । ଏ ସମ୍ପର୍କରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଏହି ଆଲୋଚନାରେ ଏ ଯାବତ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଟାଟା କମ୍ପାନିର ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ପାରୁଥିବା ବେଳେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟ କରିଆସୁଥିବା ଲାଇନମ୍ୟାନ ଓ ହେଲପର ଭଳି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମ ଅନୁଯାୟୀ ସ୍ଥାୟୀ କରିବାରେ ସମସ୍ୟା କେଉଁଠି ରହୁଛି ବୋଲି ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଟାଟା ପାୱାର କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନ ନେଲେ ବିଦ୍ୟୁତ ଶ୍ରମିକ ମିଳିତ ମିଳିତ ମଞ୍ଚ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ସମ୍ମିଳନୀରେ ଉପସ୍ଥିତ ଥିଲେ ।


