ଶ୍ରୀଚୈତନ୍ୟଙ୍କ ମନ୍ଦିର ନିର୍ମାଣରେ ବାଧା: ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅଧିନ ଦଶିପୁର ଗ୍ରାମର ବିବେକାନନ୍ଦ ଦାଶ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦଶିପୁର ଗ୍ରାମରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ବିଜେସ୍ଥଳୀରେ ମନ୍ଦିର ନିର୍ମାଣ ନିମନ୍ତେ ଆଳି ତହସିଲଦାରଙ୍କ ନିର୍ଦେଶ କ୍ରମେ ସରକାରୀ ଅମିନଙ୍କ ଦ୍ୱାରା ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଦଶିପୁର ମୈାଜାର ଖାତା ନଂ- ୫୦୭, ପ୍ଲଟ ନମ୍ବର- ୧୨୧୨ ଓ ଏରିଆ ଏ୦.୦୭୧ ଡିସିମିଲ ଜମିର ମାପକରାଯାଇ ଗତ ଜୁନମାସ ୧୧ତାରିଖରେ ଚର୍ତୁପାଶ୍ୱର୍ରେ ବାଉଁଶ ଖିଲ ଚିହ୍ନ ଦିଆଯାଇଥିଲା। ଏହି ମାପରେ କୈାଣସି ପକ୍ଷଙ୍କ ଆପତି କିମ୍ବା ଅଭିଯୋଗ ନଥିଲା। କିନ୍ତୁ ସେହି ଦିନ ସନ୍ଧ୍ୟାରେ ଗ୍ରାମର ଶାନ୍ତନୁ ଦାଶ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଦାଶ ମନ୍ଦିର କରାଇନଦେବା ଉଦେଶ୍ୟରେ ଜୋରଜବରଦସ୍ତି ଠାକୁରଙ୍କ ଜମି ମାପକରି ତହସିଲ ଅମିନଙ୍କ ଦ୍ୱାରା ଦିଆଯାଇଥିବା ବାଉଁଶ ଖିଲ ଚିହ୍ନକୁ ଉପାଡି ଦେଇଥିଲେ। ଏସମ୍ପର୍କରେ ବିବେକାନନ୍ଦ ଗତ ଜୁନମାସ ୧୨ତାରିଖରେ ରାଜକନିକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ଥାନାରୁ ଏଏସଆଇ ସିଂ ବାବୁ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରି ଆସିଥିଲେ। ବାଉଁଶ ଖିଲ ଉପାଡିଥିବା ଉଭୟ ଶାନ୍ତନୁ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପୋଲିସ ଆଗରେ ସ୍ୱୀକାର କରିଥିଲେ। କିନ୍ତୁ ଥାନା ପକ୍ଷରୁ ଏନେଇ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଫଳରେ ଗତ ଜୁନମାସ ୨୩ତାରିଖରେ ବିବେକାନନ୍ଦ ମଜୁରିଆ ଲଗାଇ ନିର୍ମାଣାଧିନ ମନ୍ଦିର ଭିତରେ ବାଲି ପୁରାଉଥିବା ବେଳେ ପ୍ରିୟଦର୍ଶିନୀ ଆସି ତାଙ୍କୁ ଗାଳିଗୁଲଜ କରିଥିବା ବେଳେ ଶାନ୍ତନୁ ଓ ତାଙ୍କ ପୁଅ ସେଠାରେ ପହଞ୍ଚି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ନାମରେ ମିଛ କେଶ କରିବାକୁ ଧମକ ଦେଇଥିଲେ। ଏସମ୍ପର୍କରେ ବିବେକାନନ୍ଦ ରାଜକନିକା ଥାନାକୁ ଯାଇ ସେହିଦିନ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ ରାଜକନିକା ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ପରଦିନ ବିବେକାନନ୍ଦଙ୍କ ନାମରେ ଅପରପକ୍ଷଙ୍କ ମିଛ ଅଭିଯୋଗ ଉପରେ ମିଥ୍ୟା ମକଦ୍ଦମା କରାଯାଇଥିବା ନେଇ ଥାନା ପକ୍ଷରୁ ତାଙ୍କୁ ସୂଚନା ଦିଶଆଯାଇଥିଲା।ଚଳିତମାସ ୫ତାରିଖରେ ରାଜକନିକା ଥାନାଧିକାରୀ ତାଙ୍କ ଗ୍ରାମ ଦଶିପୁରକୁ ଯାଇଥିଲେ ମଧ୍ୟ ଏସମ୍ପର୍କରେ ପ୍ରିୟଦର୍ଶିନୀ କିମ୍ବା ତାଙ୍କ ସ୍ୱାମୀ ଶାନ୍ତନୁଙ୍କୁ କିଛିବି ପଚରାଉଚରା କଲେନାହିଁ। ସରକାରୀ ଅମିନଙ୍କ ଦ୍ୱାରା ମାପ କରାଯାଇ ଦିଆଯାଇଥିବା ଚିହ୍ନକୁ ଉପାଡି ଦେଇ ସରକାରୀ ନିୟମକୁ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ଓ ବିବେକାନନ୍ଦଙ୍କ ନାମରେ ଥାନା ପକ୍ଷରୁ ଅପରପକ୍ଷଙ୍କ ମିଥ୍ୟା ଅଭିଯୋଗ ଉପରେ କୈାଣସି ତଦନ୍ତ କରାନଯାଇ ମିଥ୍ୟା ମାମଲା ରୁଜୁ କରାଯିବା ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ବିବେକାନନ୍ଦ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜକନିକା ଥାନାକୁ ଏନେଇ ସେ କେତେଥର ଯାଇଛନ୍ତି ତାହା ସି.ସି. ଟିଭି ଫୁଟେଜ୍କୁ ଚେକ କଲେ ଜଣାପଡିବ। ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ରାଜକନିକା ଥାନାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ମାଡମାରି ଲହୁଲୁହାଣ କରିବା ଓ ମହିଳାଙ୍କୁ ରାସ୍ତା ଉପରେ ଲୁଗାଖୋଲି ବେଇଜ୍ଜତ କରିବା ଭଳି ସଂଗୀନ ଅଭିଯୋଗ ଥାନା କେଶ ନଂ-୨୪୪/୨୦୨୨ ଓ ୩୧୦/୨୦୨୪ରେ ରହିଅଛି।


