ଆଦର୍ଶ ଶିକ୍ଷକ ଓ ବିଶିଷ୍ଠ କଳାକାରଙ୍କ ବିୟୋଗରେ ସ୍ମୃତିଚାରଣ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହି ଠାରେ ଥିବା ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଆଦର୍ଶ ଶିକ୍ଷକ ଏବଂ ବିଶିଷ୍ଠ କଳାକାରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟା ସମୟରେ ନିତ୍ୟାନନ୍ଦ ପାଠାଗାରର ସଭାପତି ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଦିବଂଗତ ଆଦର୍ଶ ଶିକ୍ଷକ ଶ୍ୟାମସୁନ୍ଦର ପଟ୍ଟନାୟକ ଏବଂ ବିଶିଷ୍ଠ କଳାକାର ନାରାୟଣ ଦାସ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରକାଶ କରିବା ସହ ୧୦୧ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହାପରେ ଉପସ୍ଥିତ ଥିବା ୩୦ରୁ ଉର୍ଦ୍ଧ ଶିକ୍ଷକଶିକ୍ଷୟତ୍ରୀ ଏବଂ କଳାକାର ମାନେ ଦିବଙ୍ଗତ ଦୁହିଁଙ୍କର କର୍ମମୟ ଜୀବନ ଓ ଅବଦାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ପଟ୍ଟନାୟକ, ପ୍ରେମାନନ୍ଦ ପଟ୍ଟନାୟକ, ତ୍ରିନାଥ ପଟ୍ଟନାୟକ, ସୁସୁମାଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।