ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦେଶ ସ୍ୱାଧୀନତା ପାଇ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ସର୍ବନିମ୍ନ ସୁବିଧା ରାସ୍ତା ଆଦୈ ନ ଥିବାରୁ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି ଜନସାଧାରଣ । ଆଜି ବି ଲୋକେ ନିଜ ଗ୍ରାମକୁ ସହଜରେ ଯାତାୟତ କରିବା ପାଇଁ ଧାରଣା, ଦାବି, ଅନଶନ ଆଦି କରୁଥିବା ବିଷୟ ବିସ୍ମିତ କରୁଛି । ହେଲେ ଡିଣ୍ଡିମ ପିଟୁଥିବା ସରକାର, ଉନ୍ନୟନ କାର୍ଯ୍ୟ ଯୋରସରରେ ଚାଲୁଥିବା କଥା କହୁଥିବା ପ୍ରଶାସନର ବାସ୍ତବ ଚିତ୍ର ଅଲଗା । ଗଜପତି ଜିଲ୍ଲାରେ ବହୁ ଗ୍ରାମାଞ୍ଚଳ ଗୁଡିକ ଦୁର୍ଗମ ପରିସ୍ଥିରେ ପଡି ରହିଛି । ଜରୁରୀ ପରିସ୍ଥିତିରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଙ୍ଗଲ ଘେରା ପାଦଚଲା ରାସ୍ତାରେ ନିଜର ଜୀବକୁ ବାଜି ଲଗାଇ ପ୍ରତିମୂହୁର୍ତ୍ତରେ ବିପଦ ଗଣି ଚାଲିଥାନ୍ତି । ଜିଲ୍ଲାରେ ପ୍ରାୟ ବହୁ ଗ୍ରାମକୁ ରାସ୍ତା ନଥିବାର ନଜିର ରହିଛି । ଏପରି ଏକ ଗ୍ରାମ ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ସାନଲୋବା ଅନ୍ତର୍ଗତ କାର୍ଯୀ ସାହି ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଉକ୍ତ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ବହୁବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦ୍ୱାରସ୍ତ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନି । ହେଲେ ଉକ୍ତ କାର୍ଯୀ ସାହି ଗ୍ରାମରେ ଗତ ଅଗଷ୍ଟ ୨୯ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇ ୨.୫କିମି ଜଙ୍ଗଲିରାସ୍ତାରେ ନେବା ଆଣିବା ଘଟଣା ପରେ ବହୁ ଚର୍ଚ୍ଚାରେ ରହିଛି ଏହି ଗ୍ରାମ ରାସ୍ତା । ସେଠାକାର ସମିତିସଭ୍ୟ ମୋହନ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ôଚ ବାରଣ୍ଡାରେ ବସି ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ବିଭିନ୍ନ ସ୍ଲୋଗାନ ମାନ ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରିଥିବାର ଦେଖିବାକୁ ମିଳିଥିଲା । ସେମାନେ ଏନେଇ କହିଛନ୍ତି, ଆମ୍ଭେ ବହୁବାର ଦାବି କରୁଥିଲେ ମଧ୍ୟ କେହି ନ ଶୁଣିବାରୁ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେଇଛୁ ଏବଂ ଏନେଇ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଧାରଣା ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆସି ବୁଝାସୁଝା କରିବା ଏବଂ ପ୍ରତିଶ୍ରୁତି ପରେ ଧାରଣାରୁ ଗ୍ରାମବାସୀମାନେ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ