ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମରେ ରବିବାର ସଂଧ୍ୟାରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଘରେ ପଶି ବଳତ୍କାର ଉଦ୍ୟମ କରିଥିଲା । ନାବାଳିକାଙ୍କ ବାପା ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ନାବାଳିକାଙ୍କ ମାଆ ଓ ସାନ ଭାଇ ଘରେ ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ବଳ ପୂର୍ବକ ଘରେ ପଶି ନାବାଳିକାଙ୍କୁ ବଳତ୍କାର ଉଦ୍ୟମ କରିଥିଲା । ତେବେ ନାବାଳିକା ଜଣକ ପାଟି କରିବା ଫଳରେ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣକ ଅସାମାଜିକ କାର୍ଯ୍ୟ କଳାପରେ ସଂଶ୍ଳିଷ୍ଟ ଥିବାରୁ ପୋଲିସରେ ଅଭିଯୋଗ କଲେ ପରିଣାମ ଭୟାଭୟ ହେବ ବୋଲି ଧମକ ମଧ୍ୟ ଦେଇଥିଲା । ନାବାଳିକାଙ୍କ ମା’ ଘରକୁ ଫେରି ଝିଅ ଠାରୁ ସମସ୍ତ ବିଷୟ ଶୁଣିବା ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ ୪୫୩/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ହିଞ୍ଜିଳି ପୁଲିସ ସଂପୃକ୍ତ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ଜଣକ ହିଞ୍ଜିଳି ଥାନା ସାରୁ ଗ୍ରାମର ଗଙ୍ଗାଧର ସେଠୀ । ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


