ଜଳ ସମ୍ପଦ ଜମିରେ ଜୁଡିସିଆଲ କମ୍ପେ୍ଲକ୍ସ ନିର୍ମାଣ ପ୍ରସଙ୍ଗ : ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ନିଷ୍ପତ୍ତି
ବାଲେଶ୍ୱର (ସରୋଜ ପଣ୍ଡା): ସରକାରଙ୍କ ପକ୍ଷରୁ ମଞ୍ଜୁର ବାଲେଶ୍ୱର ଜୁଡିସିଆଲ ହବ ପ୍ରତିଷ୍ଠା ବାବଦରେ ସ୍ଥାନ ନିରୂପଣକୁ ନେଇ ଗତ କିଛିଦିନ ଧରି ଚାଲିଥିବା ଟଣାଓଟରା ସ୍ଥିତିର ସମାଧାନ ପାଇଁ ଜିଲ୍ଲାର ଓକିଲ ଓ ବିଶିଷ୍ଠ ବ୍ୟକ୍ତିଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ବାର୍ ଆସୋସିଏସନର ସଭାପତି ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ସମ୍ବିତ ନନ୍ଦୀ, ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ଅଶୋକ ସେନାପତି, ପୁରୁଷୋତ୍ତମ ବିଶ୍ୱାଳ, ମହମ୍ମଦ ଇସଲାମ, ଦୀପକ ଦାଶ, ସୂର୍ଯ୍ୟକାନ୍ତ କର, ପ୍ରଭାତ ଦାସ, କେଶବ ଆଚାର୍ଯ୍ୟ, ଧୀରେନ୍ ମିଶ୍ର, ରଣଜିତ ପଣ୍ଡା, ଗିରୀଶ ଚନ୍ଦ୍ର ପରିଡ଼ା ପ୍ରମୁଖଙ୍କ ସମେତ ବହୁ ଓକିଲ ଓ ସଚେତନ ବ୍ୟକ୍ତିମାନେ ଯୋଗଦେଇ ଜଳସମ୍ପଦ ବିଭାଗ ଜମିରେ ଏହି ହବ୍ ନିର୍ମାଣ ପାଇଁ ସହମତି ପ୍ରକାଶ କରିଥିଲେ। ତିନି ବର୍ଷ ତଳେ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ଜୁଡିସିଆଲ ହବ୍ (ଏବେ ଜୁଡିସିଆଲ କମ୍ପେ୍ଲକ୍ସ) ପ୍ରତିଷ୍ଠା ପାଇଁ ପ୍ରଥମେ ରେମୁଣାର ବିଦ୍ୟାଧରପୁରକୁ ପ୍ରଶାସନ ମନୋନୟନ କରିଥିଲା। ମାତ୍ର ସବୁ ମହଲରୁ ଏହାକୁ ବିରୋଧ ହେବା ପରେ କଚେରି ହତା, ଜଳ ସମ୍ପଦ ବିଭାଗ ପରିସର ଓ ନୁଣିଆଯୋଡ଼ିକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ କ୍ଷେତ୍ର ପରିଦର୍ଶନ ପରେ ଜଳ ସମ୍ପଦ ଜମିରେ ଏହି କମ୍ପେ୍ଲକ୍ସ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ବାଲେଶ୍ୱର ଓକିଲ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଓ ସେହି ସ୍ଥାନରେ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଜଳସମ୍ପଦ ବିଭାଗର ୯ ଏକର ଜମିରୁ ୬.୦୬ ଏକର ଆଇନ ବିଭାଗକୁ ଓଡ଼ିଶା ସରକାର ହସ୍ତାନ୍ତର କରିଥିଲେ। ଜମି ହସ୍ତାନ୍ତର ପରେ ତନ୍ମଧ୍ୟରୁ କିଛି ଅଂଶ ଜମି ଦେୱାନୀ ଅଦାଲତରେ ବିଚାରାଧୀନ ଥିବା ଜଣାପଡିଥିଲା। ଏହା ସତ୍ତ୍ୱେ ସେଠାରେ ହବ ନିର୍ମାଣ ହେଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ମାତ୍ର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସଦର ତହସିଲ, ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଅଦାଲତ ଓ ଖାଉଟି ଅଦାଲତ ଜଳସମ୍ପଦ ଜମିକୁ ସ୍ଥାନାନ୍ତର ନ ହେଲେ ବଡ଼ ସମସ୍ୟା ଉପୁଜିବ ବୋଲି ବୈଠକରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। ପ୍ରତିଦିନ ଓକିଲ, ମୋହରିର ଓ ସାଧାରଣ ଲୋକେ ୨.୫ କିମି ଦୂରକୁ ଏକାଧିକ ଥର ଯା’ଆସ କରିବା ସମ୍ଭବପର ନୁହେଁ ବୋଲି ବୈଠକରେ ଉପସ୍ଥିତ ବ୍ୟକ୍ତି ମତ ଦେଇଥିଲେ। ଏ ନେଇ ରେମୁଣା ଠାରୁ କୁରୁଡ଼ା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟ୍ ବ୍ୟବଧାନରେ ଟାଉନ ବସ୍ ଚଳାଚଳ, ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ, ବାଲେଶ୍ୱର ସଦର ତହସିଲ କାର୍ଯ୍ୟାଳୟ, ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନରଙ୍କ ଅଦାଲତ ଏବଂ ଜିଲ୍ଲା ଖାଉଟି ଅଦାଲତକୁ ଜଳ ସମ୍ପଦ ବିଭାଗର ବଳକା ୩ ଏକର ଜମିରେ ସ୍ଥାପନ କରିବା; ପ୍ରତି ସପ୍ତାହରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସର୍କିଟ କୋର୍ଟ ଜଳ ସମ୍ପଦ ବିଭାଗରେ ଆୟୋଜନ କରିବା ଓ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ପାଦଚଲା ଓଭରବ୍ରିଜ ନିର୍ମାଣ ଦାବି ପ୍ରଶାସନ ନିକଟରେ ଉପସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିକ୍ରମରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଧାର୍ଯ୍ୟ ହୋଇଛି।


