ମାନ୍ଦାରେ ମୂର୍ତ୍ତି କାରୀଗରଙ୍କ ବ୍ୟବସାୟ

ବାଲେଶ୍ୱର, (ସରୋଜ ପଣ୍ଡା):ବିଘ୍ନ ବିନାଶକ ଆଦ୍ୟଦେବ ଶ୍ରୀଗଣେଶଙ୍କ ପୂଜାକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଗାଁ’ଠାରୁ ସହର ସହର ପର୍ଯ୍ୟନ୍ତ ହୋଇ ଉଠିଛି ଚଳଚଞ୍ଚଳ । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ମଣ୍ଡପ ଏମିତିକି ଘରେ ଘରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ବାଲେଶ୍ୱର ସହର ସମେତ ଜିଲାର ଶିକ୍ଷାନୁଷ୍ଠାନ ଏବଂ କ୍ଲବ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛିି । ମାତ୍ର କୋଭିଡ କଟକଣା ପାଇଁ ଚଳିତ ବର୍ଷ ସେଭଳି ଅତି ଯାକଜମକରେ ପୂଜା ହେଉ ନଥିଲେ ବି ବିଧିରକ୍ଷାରେ ସବୁକିଛି ଆୟୋଜନ ଚାଲିଥିବା ଲକ୍ଷ୍ୟ କରାଯାଇଛି । ମୂର୍ତ୍ତି କାରୀଗରମାନେ ବିନାୟକଙ୍କ ମୃଣ୍ମୟ ମୂର୍ତ୍ତିକୁ ଶେଷସ୍ପର୍ଶ ଦେବାରେ ଲାଗିଛନ୍ତି । ତେବେ ପ୍ରଶାସନର ମାର୍ଗଦର୍ଶିକା ଅନୁସାରେ ଚଳିତ ବର୍ଷ ପୂଜାରେ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହୋଇନଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍‌ô କ୍ଲବ ତଥା ବିଭିନ୍ନ ଯୁବ ସଂଗଠନଙ୍କ ପକ୍ଷରୁ ହେଉଥିବା ମଣ୍ଡପ ପୂଜାରେ ଅଧିକ କଟକଣା ଲାଗିଛି । ପୂଜକ ଓ କର୍ମକର୍ତ୍ତାଙ୍କୁ ମିଶାଇ ମଣ୍ଡପରେ ୭ ଜଣରୁ ଅଧିକ ନ ରହିବା, ଜନସାଧାରଣଙ୍କୁ ମଣ୍ଡପ ମୂର୍ତ୍ତିକୁ ଦେଖାଇ ନଦେବା, ଡାକବାଜି ଯନ୍ତ୍ର ନ ବାଜିବା ଆଦି କଟକଣ ଯୋଗୁଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିରାଶା ଭାବ ଦେଖାଯାଇଛି । ତେବେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ପୂଜାରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମୂର୍ତ୍ତି କାରୀଗରମାନେ । ପାର୍ବଣ ଋତୁରେ ବିଭିନ୍ନ ପୂଜାରେ ମୂର୍ତ୍ତି ନିର୍ମାଣ କରି ବର୍ଷ ସାରା ଗୁଜରାଣ ମେଣ୍ଟାଇଥା’ନ୍ତି ଏହି କାରୀଗରମାନେ । ସହର ବଜାରରେ ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟାରେ ମୂର୍ତ୍ତି ତିଆରି ସହ ବିଭିନ୍ନ ମଣ୍ଡପ ସମେତ ଘରୋଇ ପୂଜା ପାଇଁ ବିକ୍ରି କରିଥା’ନ୍ତି । ତେବେ ଗତବର୍ଷ ପୂଜା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଚଳିତ ବର୍ଷ କେବଳ ଘରୋଇ ପୂଜା ପାଇଁ ଅଳ୍ପକିଛି ମର୍ତ୍ତି ତିଆରି କରୁଥିବା ସେମାନେ କହିଛନ୍ତି । ପୂର୍ବରୁ ମର୍ତ୍ତି ପିଛା ୨ଶହରୁ ୫ହଜାର ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ପୂଜାରେ ଉଚ୍ଚତା ହ୍ରାସ ଦୃଷ୍ଟିରୁ ଏହା ଶହେରୁ ଆରମ୍ଭ କରି ହଜାରେ କିମ୍ବା ଦେଢ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଛି ବୋଲି କାରୀଗରମାନେ କହିଛନ୍ତି । ଯାହା ବି ହେଉ କରୋନା ପ୍ରକୋପ ହ୍ରାସ ପାଇଲେ ପୁଣି ପୂର୍ବସ୍ଥିତି ଫେରିବ ବୋଲି କାରୀଗରଙ୍କ ସମେତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ