ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପଣ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପାଟଣା ଗ୍ରାମରେ ଶୁକଦେବ ସାହୁ ସ୍ମୃତି ପରିଷଦ ଆନୁକୁଲ୍ୟରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ଶିକ୍ଷାବିତ୍ ଡଃ .ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, କେନ୍ଦ୍ରାପଡା କଲେଜର ଅଧ୍ୟାପକ ଯତିନ୍ଦ୍ର ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଶିକ୍ଷାବିତ୍ ତଥା ରାମଚଣ୍ଡୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଶୁକଦେବ ସାହୁ ତାଙ୍କ ଜୀବନକାଳ ମଧ୍ୟରେ ୩ଶହରୁ ଅଧିକ ବହି ଲେଖିଥିଲେ । ତାଙ୍କର ଏଭଳି ସାହିତ୍ୟ ସାଧନା ପାଇଁ ବିଭିନ୍ନ ସ୍ତରରେ ସେ ସମ୍ମାନୀତ ମଧ୍ୟ ହୋଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ର୍ରଜ୍ଞାପୁରୁଷ ଶୁକଦେବ ଏବଂ ଓଡିଶା ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀ ଚରଣଙ୍କ ଉପରେ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ସାହିତ୍ୟ ସାଧନା ପାଇଁ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆରଧନା ଦାସ, ଗାଳ୍ପିକ ରତ୍ନାକର ମଲ୍ଲିକ ଓ ସମାଜ ସେବୀ ରଘୁନାଥ ରାଉତଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଶୈଳଜାଶଙ୍କର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତ ଚରଣ ସାହୁ ଅତିଥି ପରିଚୟ ଓ ଜୟନ୍ତ ଯଶୋବର୍ଦ୍ଧନ ସାହୁ ଉତ୍ସବ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶତାଧିକ ସାହିତ୍ୟିକ ଓ ଶିକ୍ଷାବିତମାନେ ଯୋଗଦେଇଥିଲେ ।


