ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ସଂଗ୍ରାମୀ ବୀର ବାଘାଯତୀନ ଓ ସାଥୀଙ୍କ ୧୦୬ ତମ ବଳିଦାନ ଦିବସ ସ୍ଥାନୀୟ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ପାଳିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ସିମୀତ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସହିଦ ବାଘାଯତୀଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୀର ବାଘାଯତୀନ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତତ୍କାଳୀନ ମିଲିଟାରୀ ଡାକ୍ତରଖାନା ତଥା ବର୍ତ୍ତମାନର ଏହି ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଆମ ସମସ୍ତଙ୍କ ପାଇଁ ତୀର୍ଥଭୂମି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ସୁଜିତ ଦେବ, ହରେନ ରଣା, ପଦ୍ମଲୋଚନ ଲେଙ୍କା, ଅର୍ଚ୍ଚନା ନନ୍ଦୀ, ଜ୍ୟୋତ୍ସ୍ନା ସେନାପତି ପ୍ରମୁଖ ଉନ୍ନୟନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ବାଘାଯତୀନଙ୍କ ଦେହାନ୍ତ ହୋଇଥିବା କୋଠରୀରେ ସହିଦଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅପରାହ୍ନରେ କମିଟିର କର୍ମକର୍ତ୍ତାଙ୍କ ସମେତ ବିଧାୟକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବାଲେଶ୍ୱର ଜେଲକୁ ଯାଇ ବାଘାଯତୀନଙ୍କ ଦୁଇସାଥୀଙ୍କୁ ଦିଆଯାଇଥିବା ଫାଶୀସ୍ଥଳ ପରିଦର୍ଶନ କରିଥିଲେ । ଏଠାରେ ଥିବା ସ୍ମୃତିପୀଠାରେ ପୁଷ୍ପ ଅର୍ପଣ ସହ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ