ପୋଲିସ ଦଳ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ, ଜଣେ ଆତଙ୍କବାଦୀ ନିହତ
ଜମ୍ମୁ : ରବିବାରଦିନ ଆତଙ୍କବାଦୀମାନେ ହଠାତ୍ ଶ୍ରୀନଗର ଜିଲ୍ଲାର ଖାନିଆର ଅଂଚଳରେ ଏକ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି, ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଛି । ଆତଙ୍କବାଦୀମାନେ ଆକ୍ରମଣ ପରେ ତୁରନ୍ତ ଘଟଣାସ୍ଥଳରୁ ପଳାଇଥିଲେ । ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ସମଗ୍ର ଅଂଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଶ୍ରୀନଗର ଜିଲ୍ଲାର ଖାନିଆ ଅଂଚଳରେ ପୋଲିସ କର୍ମଚାରୀ ମୂତୟନ ହୋଇଥିଲେ । ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ପୋଲିସ ଟିମ୍ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯେଉଁଥିରେ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀ ଆର୍ଶଦ ଅହମ୍ମଦ ଆହତ ହୋଇଥିଲେ । ଏହି ଘଟଣା ଘଟାଇବା ପରେ ଆତଙ୍କବାଦୀମାନେ ସେଠାରୁ ପଳାଇଯାଇଥିଲେ । ଗୁଳିର ଶବ୍ଦ ଶୁଣି ନିକଟସ୍ଥ ସୁରକ୍ଷାବାହିନୀ ଏବଂ ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ।
ଆହତ ଯବାନଙ୍କୁ ତୁରନ୍ତ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ଘଟଣା ପରେ ସୁରକ୍ଷାବାହିନୀ ଆଖାପାଖ ଅଂଚଳରେ ସର୍ଚ୍ଚ ଅପେରେସନ ଆରମ୍ଭ କରିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀଙ୍କୁ ଧରାଯିବା କିମ୍ବା ହତ୍ୟା କରାଯାଇଥିବାର କୌଣସି ଖବର ନଥିଲା କିମ୍ବା ଏହି ସମୟ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାନ୍ତି । ଅନ୍ୟପକ୍ଷରେ ଆଜି ସକାଳେ ରାଜୌରୀରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଂଟର ଚାଲିଛି । ଏହି ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।


