ବ୍ରାହ୍ମଣ ସମିତିର ୯୫ତମ ଅଧିବେଶନ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ଦାମୋଦରପୁରସ୍ଥିତ କାର୍ଯ୍ୟାଳୟରେ ରବିବାରଦିନ ସମିତିର ୯୫ତମ ଅଧିବେଶନ ସଭାପତି ଡା: ଶ୍ରୀଶ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପ ଓ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ଦ୍ୱାରା ବେଦମନ୍ତ୍ର ପାଠ କରାଯାଇ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ଶ୍ରୀ ଗୌରଚନ୍ଦ୍ର ଦାଶ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଏବଂ ତାହା ଉପସ୍ଥିତ ସଦସ୍ୟମାନଙ୍କଦ୍ୱାରା ସର୍ବସମ୍ମତି ମତେ ଦୃଢ଼ୀକରଣ ହୋଇଥିଲା । ଏହାପରେ ଶ୍ରୀ ଦାଶ ଚଳିତବର୍ଷର ଆୟବ୍ୟୟ ବିବରଣୀ ସଭାରେ ଉପସ୍ଥାପନ କରିଥିଲେ । ତାହା ତର୍ଜମା ପୂର୍ବକ ଅନୁମୋଦିତ ହୋଇଥିଲା । ସଭାପତି ଡା: ଦାଶ ଜିଲ୍ଲାର ବ୍ରାହ୍ମଣ ସଂଗଠନକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଆଜୀବନ ସଭ୍ୟସଂଖ୍ୟା ବୃଦ୍ଧିକରିବା ସହିତ ବ୍ରାହ୍ମଣ ବଂଧୁ ଯୋଜନାରେ ଅଧିକ ସହଯୋଗୀ ସଭ୍ୟସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସଂପାଦକ ଶ୍ରୀ ଦାଶ ସମିତି କାର୍ଯ୍ୟାଳୟର ଆବଶ୍ୟକ ନବୀକରଣ କାର୍ଯ୍ୟ କରିବା ଏବଂ ସମିତିଦ୍ୱାରା ଯୋଗଶିବିର, ବୃକ୍ଷରୋପଣ ତଥା ଭାଗବତ ପାରାୟଣ ଆଦି ଜନହିତକର କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବା ପାଇଁ ଦେଇଥିବା ପ୍ରସ୍ତାବ ସଭାରେ ଆଲୋଚନା କ୍ରମେ ଅନୁମୋଦନ କରାଯାଇଥିଲା । ଆସନ୍ତା ଜାନୁଆରୀ ୪ ତାରିଖ ଶନିବାର ଦିନ ସମିତିର ବାର୍ଷିକ ସାଧାରଣ ସଭା ଓ ନୂତନ ବର୍ଷର ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗୃହୀତ ହୋଇଛି । ଏହି ବୈଠକରେ ପଣ୍ଡିତ ଶକ୍ତିପଦ ପଣ୍ଡା, ସର୍ବେଶ୍ୱର ପତି, ହରେକୃଷ୍ଣ ପଣ୍ଡା, ନିରାକାର ଦାଶ, ସରୋଜ ନାରାୟଣ ଷଡ଼ଙ୍ଗୀ, ଭୃଗୁରାମ କର, ରାଧାକୃଷ୍ଣ ଆଚାର୍ଯ୍ୟ, ବୈଦ୍ୟନାଥ ଆଚାର୍ଯ୍ୟ, ଦେବବ୍ରତ କର, ସୁଶାନ୍ତ ଆଚାର୍ଯ୍ୟ, ରତିକାନ୍ତ ମହାପାତ୍ର, ଅଭିମନ୍ୟୁ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଜୟ ପାଣିଗ୍ରାହୀ ଓ ପ୍ରଶାନ୍ତ ଶତପଥୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡ. କ୍ଷିତିଶ୍ୱର ଦାଶ ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ଶାନ୍ତିମନ୍ତ୍ର ପାଠପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା ।


