ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମୁନିଗୁଡ଼ା ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କୁ ଅପହରଣ ପରେ ମନ୍ଦିରେ ମିଛମିଛିକା ବାହାଘର ପରେ ଦୁଷ୍କର୍ମ । ଏଭଳି ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକାଙ୍କ ମା’ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୪୨୪/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ବାସୁଦେବ ଭୋଇ ଘଟଣାର ତଦନ୍ତ ଚଳାଇଥିଲେ । ଗୁରୁବାର ସଂପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ଗିରଫ ଯୁବକ ଜଣକ ହିଞ୍ଜିଳିକାଟୁ ପୌରାଞ୍ଚଳ ରଜାତୋଟା ସାହିର ପରଦେଶୀ ବରାଡ଼ (୧୯) । ଗିରଫ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ମୁନିଗୁଡ଼ା ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କୁ ହିଞ୍ଜିଳିକାଟୁର ପରଦେଶୀ ଜାନୁୟାରୀ ୨୮ ତାରିଖରେ ଅପହରଣ କରିଥିଲେ । ଅପହରଣ ପରେ ଭୂବନେଶ୍ୱରର ଏକ ମନ୍ଦିରରେ ଜୋର ଜବରଦସ୍ତ ବିବାହ କରିଥିଲେ । ଭୂବନେଶ୍ୱରରୁ ପୁରୀ ଆସି ୨ ଦିନ ରହିବା ପରେ ଦୁହେଁ ପୁଅ ଘରକୁ ଫେରିଥିଲେ । ପୁଅ ଘରେ କିଛି ଦିନ ରହିବା ପରେ ପରିବାର ସହ ଅଶାନ୍ତି ଲାଗି ରହିବାରୁ ଦୁହେଁ ସ୍ଥାନୀୟ ପୌରାଞ୍ଚଳର ଏକ ସାହିରେ ଏକ ଭଡ଼ା ଘରେ କିଛି ଦିନ ରହିବା ପରେ ଗୁଜୁରାଟ ରାଜ୍ୟର ସୁରତ ଚାଲି ଯାଇଥିଲେ । ଚଳିତ ମାସ ୧୩ ତାରିଖରେ ଦୁହେଁ ସୁରତରୁ ଫେରି ଝିଅଘର ଗ୍ରାମ ମୁନିଗୁଡ଼ା ଥାନା ଅଞ୍ଚଳକୁ ଯାଇଥିଲେ । ବସଷ୍ଟାଣ୍ଡରେ ପହଞ୍ଚିବା ପରେ ପରଦେଶୀ ଶୌଚ କରିବାକୁ ଯିବାକୁ କହି ନାବାଳିକାଙ୍କୁ ବସଷ୍ଟାଣ୍ଡରେ ଏକୁଟିଆ ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଥିଲେ । ବହୁ ସମୟ ଧରି ଯୁବକ ଜଣକ ନଫେରିବାରୁ ନାବାଳିକା ଜଣଙ୍କ ବାପା ଘରକୁ ଯାଇ ଘଟଣା ନେଇ ମା’ଙ୍କୁ କହିଥିଲେ । ଘଟଣା ନେଇ ନାବାଳିକାଙ୍କ ମା’ ୧୩ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳିସ ଥାନାରେ ନଂ- ୪୨୪/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ସନ୍ଧ୍ୟାରେ ଯୁବକ ଜଣକ ବାପା ଘରେ ଥିବା କୌଣସି ସୁତ୍ରରୁ ଖବର ପାଇ ଚଢାଉ କରି ଯୁବକଙ୍କୁ ଗିରଫ କରିଥିଲା ।