ସଂଶୋଧନ ହେଲା ଇଂରାଜୀ ବନାନ: ଆଉ ଇଂରାଜୀରେ ଲେଖାଯିବନି ଆସ୍କା
ଆସିକା (ୱାଇଏନ୍ଏସ୍): ବଦଳିଛି ଇଂରାଜୀ ବନାନ । ନାମର ହୋଇଛି ସଂଶୋଧନ । ଏଣିକି ଇଂରାଜୀ ଭାଷାରେ ଲେଖାଯାଉଥିବା ଆସ୍କାକୁ ପରିବର୍ତ୍ତନ କରାଯାଇ ଆସିକା ଲେଖାଯିବ ବୋଲି ଜଣାପଡିଛି । କାହିଁ କେଉଁ ଆବାହମାନ କାଳରୁ ଆସିକାର ଇଂରାଜୀ ନାମଲେଖାକୁ ନେଇ ଦ୍ୱନ୍ଦ ରହିଥିଲା । ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳର ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ସାଇନ୍ ବୋର୍ଡ ଇଂରାଜୀରେ ଆସ୍କା ବୋଲି ଲେଖାଯାଇଥିବା ଦେଖିବାକୁ ମିଳୁଛି । ଓଡିଆ ଭାଷାରେ ଆସିକା ଲେଖାଯାଇଥିବା ବେଳେ ଇଂରାଜୀରେ ଆସ୍କା ଲେଖାଯାଇଥିବା ପରିଲକ୍ଷିତ ହେଉଥିଲା । ଓଡିଆ ଅସ୍ମିତାକୁ ଆହୁରି ପ୍ରୋତ୍ସାହିତ ଏବଂ ଓଡିଆ ଭାଷାର ବହୁଳ ପ୍ରସାର ଓ ପ୍ରଚାର ପାଇଁ ଇଂରାଜୀ ଉଚ୍ଚାରଣକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ଓଡିଆ ଭାଷାଗତ ପରିଚୟକୁ ଆହୁରି ସୁଦୃଢ କରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଗତ ଫେବୃୟାରୀ ମାସ ୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୨୪ଟି ବ୍ଳକ, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟାଳୟର ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା ବେଳେ ସେଥିରେ “ଆସ୍କା”ର ଇଂରାଜୀ ନାମ ପରିବର୍ତ୍ତନର ସ୍ଥାନ ପାଇନଥିଲା । ଗତ ଏପ୍ରିଲ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକାଶିତ ତାଲିକାରେ “ଆସ୍କା”ର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଥିଲା । ଏ ସଂକ୍ରାନ୍ତରେ ଆପତ୍ତି ଏବଂ ଅଭିଯୋଗ ସଂଗ୍ରହ କରାଯିବା ପରେ ତାହାର ତର୍ଜମା କରାଯାଇ ଉଚ୍ଚ କ୍ଷମତାସଂପନ୍ନ କମିଟିର ସୁପାରିଶକୁ ଆଧାରରେ ଆସ୍କାର ଇଂରାଜୀ ନାମ ପରବର୍ତ୍ତନକୁ ରାଜ୍ୟ କ୍ୟାବିନେଟରେ ମୋହର ବାଜିଥିବା ଜଣାପଡିଛି । ଏଣିକି ଇଂରାଜୀରେ ଆସ୍କା ପରିବର୍ତ୍ତେ ଆସିକା ବୋଲି ଲେଖାଯିବ । ଯାହାରି ଫଳରେ ଇଂରାଜୀ ଭାଷାରେ ଆସ୍କା ଉଚ୍ଚାରଣରେ ପୂର୍ଣ୍ଣଚ୍ଛେଦ ପଡିଛି । ଓଡିଆ ସାଂସ୍କୃତିକ ଏକତାର ସୁରକ୍ଷା ପାଇଁ ଆସ୍କା ଇଂରାଜୀ ବନାନର ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମହଲରେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ପାଇଁ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଥିବା ଜଣାପଡିଛି । ଅପର ପକ୍ଷରେ ଓଡିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନର ସଂଶୋଧନ ହୋଇସାରିଥିଲା ବେଳେ ରାଜସ୍ୱ ରେକର୍ଡ ଠାରୁ ଆରମ୍ଭ କରିି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ସମେତ ଅନ୍ୟାନ୍ୟ ସରକାରୀ ଦଲିଲପତ୍ରରେ ସଂଶୋଧନ ପାଇଁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।


