ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ପ୍ରସ୍ତୁତି ବୈଠକ

ଜିଲ୍ଲାରେ ଐତିହ୍ୟ ସମ୍ପନ୍ନ କିର୍ତ୍ତୀ ଭାସ୍କର୍ଯ୍ୟର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣବେକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ

ଛତ୍ରପୁର (ଦେବଦତ୍ତ ମହାରଣା ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲ୍ଲାର ଆବେଦନ କରିଥିବା କଳାକାରଗଣ ଯେପରି ହତାଶ ନ ହେବେ ସେଥିପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟପନ୍ଥା ସ୍ଥିର କରନ୍ତୁ ବୋଲି ଅନୁଷ୍ଠିତ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଛନ୍ତି । ତାଲିକା ପ୍ରସ୍ତୁତି ସମୟରେ ବୟୋଜ୍ୟେଷ୍ଠ କଳାକାରଗଣ ଯେପରି ଉପେକ୍ଷିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କଳାକାର ସେମାନଙ୍କ ଆବେଦନ ପତ୍ରଗୁଡିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ସିଧା ସଳଖ ଦାଖଲ କରିପାରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆବେଦନ ପତ୍ର ଗୁଡିକ ସଂଗ୍ରହ କରି ତାଲିକା ପ୍ରସ୍ତୁତ କରିବେ । ଭୂମିହୀନ, ଗୃହହୀନ କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଜଣାଇଥିଲେ । ବ୍ଲକ୍ କଳା ସଂସ୍କୃତି ସଂଘର ସଦସ୍ୟ ସଂଖ୍ୟାକୁ ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ୍ ସମୟରେ ଯେଉଁ କଳାକାରମାନେ କୋଭିଡ୍ ସତର୍କତା ନିୟମର ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ ଥିଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଚଳିତ ମାସ 28 ଏବଂ 29 ତାରିଖ ଦିନ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ଅନୁଷ୍ଠିତ ହେବ । ଏଠାରେ କୃତକାର୍ଯ୍ୟ ହେବା କଳାକାର ମାନଙ୍କୁ ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବ ରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରେରଣ କରାଯିବ । ଜିଲ୍ଲାରେ ରହିଥିବା ଭାଗବତ ଟୁଙ୍ଗୀ ଗୁଡିକୁ ଚିହ୍ନଟ କରି 116 ଗୋଟି ଟୁଙ୍ଗୀର ନାମ ତାଲିକା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 116ଟି ଭାଗବତ ଟୁଙ୍ଗୀକୁ 50 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସାରୁ ଗ୍ରାମରେ ନିର୍ମିତ ହୋଇଥିବା ନବ ନିର୍ମିତ ବିଜୁ ପଞ୍ଚାୟତ ପାଠାଗାର ପରି ଜିଲ୍ଲାର ସମସ୍ତ ବ୍ଲକ୍ ରେ ଉଚ୍ଚକୋଟିର ବିଜୁ ପଞ୍ଚାୟତ ପାଠାଗାର ନିର୍ମାଣ କରାଯିବ । ସମ୍ପ୍ରତି ଜିଲ୍ଲାରେ ରହିଥିବା ପାଠାଗାର ଗୁଡିକୁ ପରିଦର୍ଶନ କରି ଉକ୍ତ ପାଠାଗାର ଗୁଡିକରେ ପାଠକ ମାନଙ୍କ ଚାହିଦା ଅନୁଯାୟୀ ଯାହାସବୁ ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଠାଗାର ମାନଙ୍କରେ ଆବଶ୍ୟକ ରହିଥିବା ପୁସ୍ତକ ଯୋଗାଇବା ସମ୍ପର୍କରେ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରାଯିବ । ଗଞ୍ଜାମ ଜିଲ୍ଲାରେ ରହିଥିବା 234 ଗୋଟି ଐତିହ୍ୟ ସମ୍ପନ୍ନ କିର୍ତ୍ତୀ ଭାସ୍କର୍ଯ୍ୟ ଗୁଡିକର ରକ୍ଷଣା ବେକ୍ଷଣ, ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ କୁହାଯାଇଛି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ