‘ଶିଶୁମାନଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପିତୃମାତୃହୀନ ପିଲାଙ୍କ ଉଦ୍ଦେଶ୍ୟରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ “ଶିଶୁମାନଙ୍କ ପାଇଁ ଦିନଟିଏ” ସ୍ଥାନୀୟ ସଦଭାବନା ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଶିଶୁମାନଙ୍କ ଅଧିକାର ଏବଂ ତାହାର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜିଲାର କୌଣସି ପିଲା ଅଧିକାରରୁ ବଞ୍ଚିତ ନ ହୋଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବେ, ସେ ଦିଗରେ ସମସ୍ତ ସରକାରୀ ଅଧିକାରୀ ଧ୍ୟାନ ଦେବା ଉଚିତ ବୋଲି ଜିଲାପାଳ କହିଥିଲେ । ଏଥି ସହିତ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଏବଂ ବାଲ୍ୟ ବିବାହ ଉପରେ ଅଙ୍କୁଶ କଡ଼ାକଡ଼ି କରିବା, ନିୟମିତ ବ୍ୟବଧାନରେ ଶିଶୁ ସୁରକ୍ଷା କମିଟି ଓ ଟାସ୍କଫୋର୍ସ ବୈଠକ ଆୟୋଜନ ସହ ‘ଶିଶୁମାନଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମକୁ ସଫଳ କରିବା ଊପରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆଶୀର୍ବାଦ ଯୋଜନା ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ ଶିଶୁମାନଙ୍କୁ ଆର୍ଥିକ ସହାୟତା ସହ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଆଶୀର୍ବାଦ ଯୋଜନାରେ ୪୨୬ଜଣ ଶିଶୁଙ୍କୁ ସାମିଲ ନିମନ୍ତେ ଜିଲା ଚୟନ କମିଟି ସ୍ୱୀକୃତି ପ୍ରଦାନ କରିଥିଲେ । ଅଦ୍ୟାବଧି ଜିଲାରେ ୫୫୦ଜଣ ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ମହାମାରୀ ସମୟରେ ଉଭୟ ମାଆ ଓ ବାପା କିମ୍ବା କେବଳ ବାପାଙ୍କୁ ହରାଇଥିବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସମେତ ଆନୁସଙ୍ଗିକ ସମସ୍ତ ସୁବିଧା ପ୍ରଦାନକୁ ଗୁରୁତ୍ୱ ଦିଆଯିବ । ଏହି ସମସ୍ତ କାର୍ଯ୍ୟ ଯେପରି ସୂଚାରୁ ରୂପେ ସମ୍ପାଦନ ହେବ, ତାହାର ତଦାରଖ ଦାୟତ୍ୱ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବେ ଜିଲାର ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ “ଶିଶୁମାନଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ