ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ବେଳେ ପୋଲିସ ଭ୍ୟାନ ଆଗରେ ଧାରଣା ଦେଲେ ପରିବାର
ନିମାପଡା, (ସନ୍ତୋଷ ଦାଶ):ନିମାପଡା ଥାନା ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଅପରାହ୍ନରେ ନିମାପଡ଼ା ପୋଲିସ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସମୟରେ ଥାନା ପରିସରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ଥିଲା। ଅଭିଯୁକ୍ତ ମାନଙ୍କ ପରିବାର ଲୋକମାନେ ଥାନା ପରିସରରେ ପୋଲିସଭ୍ୟାନ ସମ୍ମୁଖରେ ଧାରଣାରେ ବସିରହିଥିଲେ। ଫଳରେ ପୋଲିସ୍ ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରିପାରିନଥିଲା। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ ଚୌରାଶି ଗ୍ରାମ ବାରାହୀ ମନ୍ଦିର ନିକଟରେ ଡକାୟତି କରିବାପାଇଁ ଯୋଜନା କରୁଥିବା ବେଳେ ଆଗରଶାସନ ଗ୍ରାମର ସୂର୍ଯ୍ୟକାନ୍ତ ତ୍ରିପାଠୀ,ମାନସ ଭୋଇ,ତମ୍ପାଳୋର ଦୁଃଶାସନ ସାହୁ ଓ ଅଳକୁଣ୍ଡର ସୁଶାନ୍ତ ମହାନ୍ତିଙ୍କୁ ପୋଲିସ ଧରିଥିଲା । ସେମାନଙ୍କ ଠାରୁ ଦୁଇଟି ଖଣ୍ଡା, ଗୋଟିଏ ଟର୍ଚ୍ଚଲାଇଟ୍ ,କାଣ୍ଡେଲ ଓ କିଛି ଲଙ୍କାଗୁଣ୍ଡ ଜବତ କରିଥିଲା । କିନ୍ତୁ ଅଭିଯୁକ୍ତ ଯୁବକ ମାନେ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ସଦସ୍ୟ ଦାବି କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଇ ଦେଇନଥିଲେ । ସେମାନେ ଥାନା ଭ୍ୟାନ ଆଗରେ ବସିରହିବା ଫଳରେ ଆଇ.ଆଇ.ସି ଶଙ୍କର୍ଷଣ ଦଳେଇ ଘଟଣା ସ୍ଥଳରେ ପହଞ୍ଚି ନିରପେକ୍ଷ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବାପରେ ସେମାନେ ଧାରଣା ରୁ ଉଠିଥିଲେ । ଆଜି ଅଭିଯୁକ୍ତ ମାନଙ୍କୁ ଥାନା ରେ ଅଟକ ରଖାଯାଇଛି । ଏ ସଂକ୍ରାନ୍ତ ରେ ଦଫା ୩୯୯,୪୦୨ ରେ ଏକ ମାମଲା ନମ୍ବର ୩୨୬/୨୧ ରୁଜୁ ହୋଇଛି । ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।


