କେହିବି ଜମିହୀନ କିମ୍ବା ବାସହୀନ ପରିବାର ରହିବେ ନାହିଁ : ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ ବୈଠକରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଗୁରୁତ୍ୱ ଦେବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସରକାରୀ ଜାଗା ଚିହ୍ନଟ କରି ଆବାସହିନ ପରିବାରଙ୍କୁ ଘର ଏବଂ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଦିଗରେ ଉଭୟେ ବିଡିଓ ଓ ତହସିଲଦାର ମାନେ ମିଳିତ ଭାବେ ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ମାନଙ୍କ ଠାରେ କେତେ ଆବେଦନ ରହିଛି ଏବଂ କେତେ ଜଣ ଭୁମିହୀନ ପରିବାରକୁ ଥଇଥାନ କରାଯାଇଛି ତାହାର ସମୀକ୍ଷା କରିଥିଲେ । ଜିଲ୍ଲାର ପ୍ରକୃତ ହିତାଧିକାରୀ ଯେପରି ଜମିବିହୀନ ରହିବେ ନାହିଁ ସେ ଦିଗରେ ଦୃଷ୍ଠି ଦେବାକୁ କୁହାଯାଇଛି । ପ୍ରାପ୍ତ ହୋଇଥିବା ଆବେଦନର ତାଲିକା ଅନୁଯାୟୀ କେତେ ଗୋଟିୁ ଫଇସଲା ହୋଇଛି ଏବଂ ପ୍ରକୃତ ହିତାଧିକାରୀଙ୍କ ବୀତୀତ ଅନ୍ୟ ସମସ୍ତ ଆବେଦନକୁ ଖାରଜ କରିବାକୁ କୁହାଯାଇଛି । ଯେଉଁ ହିତାଧିକାରୀ ଗଣ ଅଯୋଗ୍ୟ ଅଟନ୍ତି ସେମାନଙ୍କ ନାମ ତାଲିକାରୁ ବାଦ କରିବାକୁ ପରାମର୍ଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଠ ସୀମା ମଧ୍ୟରେ ବାସହୀନ ବା ଜମିହିନ ପରିବାରକୁ ଜମି ବା ଘର ମିଳିବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଆବେଦନ ପତ୍ର ଗୁଡିକ ବହୁ ଦିନ ଧରି ଯେପରି ପଡିବ ନାହିଁ ଶୀଘ୍ର ଫଇସଲା କରି ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ଲାଭ ପାଇବେ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜୁମ୍ ଆଭାସୀ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ର୍ୟେ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତି ଭାସନ୍‌, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ