ବହୁମୁଖୀ କଳାପ୍ରତିଭାର ଅଧିକାରୀ ତବଲା ବାଦକ ରଞ୍ଜନ

ହାଟଡିହି, (ବିକାଶ ବିଶ୍ୱାଳ ) : ଆଧୁନିକ ସମାଜରେ ବିଳାସମୟ ଜୀବନ ଜାପନ କରିବା ନିମନ୍ତେ ଯୁବଗୋଷ୍ଠୀ ଚାକିରି ପଛରେ ଗୋଡ଼ାଉଥିଲା ବେଳେ ତବଲା ବାଦନ ଭଳି ଏକ ସ୍ୱଳ୍ପ ଆୟକାରୀ ପେସାକୁ ଆଦରି ନେଇଥିବା ଜଣେ ଯୁବକ କଳାର ପୂଜାରୀ ସାଜି ଆତ୍ମସନ୍ତୋଷ ପାଉଥିବା ପ୍ରକାଶ କରନ୍ତି । ସୁଦୂର କଲିକତାରେ ତାଙ୍କର ପିତା ଠାକୁର ପୂଜା କରି ପରିବାର ପ୍ରତିପୋଷଣ କରୁଥିବା ଯୋଗୁଁ ପିଲାବେଳେ ଆଜିର ଯୁବକ ଜଣକ ବାପାଙ୍କ ସହ କଲିକତା ଯାଇଥାନ୍ତି । ସନ୍ଧ୍ୟା ସମୟରେ ବିଭିନ୍ନ ଠାକୁର ବାଡ଼ିରେ ଭଜନ ଆସର ସମୟରେ ଗୀତ ବୋଲିବା ସାଙ୍ଗକୁ ବିଭିନ୍ନ ବାଦ୍ୟ ଯନ୍ତ୍ରର ମୋହରେ ସେ ପଡିଯାଇଥିଲେ । ବୟସ ବଢ଼ିବା ସହ ପୁଅର ଆଗ୍ରହକୁ ଲକ୍ଷ୍ୟ କରି ପିତା କଲିକତା ସ୍ଥିତ ଜୟକୃଷ୍ଣ କଳାକେନ୍ଦ୍ରରେ ଗୁରୁ ହରେକୃଷ୍ଣ ପାଲ୍‌ଙ୍କ ଠାରୁ ତବଲା ଶିକ୍ଷା କରିବାର ବ୍ୟବସ୍ଥା କରିଥିଲେ ।ପରେ ଭଦ୍ରକର ମନମୋହନ ସଂଗୀତ ପରିଷଦରେ ତବଲା ଶିକ୍ଷା ନେଇ କୃତିତ୍ୱର ସହ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ଗ୍ରାମାଞ୍ଚଳରେ ତବଲା ବାଦକ ଭାବେ ସୁନାମ ଅର୍ଜନ କରିବା ସହ ଭୂବନେଶ୍ୱରର ରବିନ୍ଦ୍ର ମଣ୍ଡପ, କଟକର ସନ୍ତୋଷୀ ମା ମନ୍ଦିର, ପୁରୀର ବଉଳ ବେଦୀ, ଭଦ୍ରକ ଜିଲ୍ଲାର ଖପରପଦା, ଯାଜପୁର ଜିଲ୍ଲାର ସଠୀପୁର, ଭଦ୍ରକ ପୌରପାଳିକା, କଲିକତାର କ୍ଷୀଦିରପୁର, ଜଗତ୍‌ସିଂପୁର ଠାରେ ବିଭିନ୍ନ ଆସରରେ ତବଲା ବାଦ୍ୟ ପରିବେଷଣ କରିବା ସହ ଜଣେ ଦକ୍ଷ ତବଲା ବାଦକ ଭାବେ ସମ୍ମାନୀତ ହୋଇଛନ୍ତି । ଏହି ଯୁବ ତବଲା ବାଦକ ହେଲେ ହାଟଡିହି ବ୍ଲକ୍ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ପିତା ବିଦ୍ୟାଧର ଦାସ ଓ ମା କାଞ୍ଚନମଣି ଦାସଙ୍କ କନିଷ୍ଠ ପୁତ୍ର ରଞ୍ଜନ କୁମାର ଦାସ । ଇତି ମଧ୍ୟରେ ସେ ରାଜ୍ୟର ଜଣେ ଆଗଧାଡ଼ିର ତବଲା ବାଦକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବେଳେ ଭବିଷ୍ୟତରେ ନିଜେ ଏକ ଅନୁଷ୍ଠାନ ଗଢି ଆଗ୍ରହୀ ଯୁବଗୋଷ୍ଠୀଙ୍କୁ କଳା, ସଂସ୍କୃତି ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ରଞ୍ଜନ । ତେବେ ବହୁ ଘାତପ୍ରତିଘାତ ଦେବ ନିଜ ଉଦ୍ୟମରେ ପହଞ୍ଚିପାରିଥିବା ଯୋଗୁଁ ସେ ଆତ୍ମସନ୍ତୋଷ ପାଇବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ରଞ୍ଜନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ