ଇ.ପି.ଏଫ ପେନସନ ରାଶି ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) : ମାସିକ ଭତ୍ତାରାଶି ବୃଦ୍ଧି ପାଇଁ ଅବସରପ୍ରାପ୍ତ ଉଠାଜଳସେଚନ କର୍ମଚାରୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି । ଓଡ଼ିଶା ଉଠା ଜଳସେଚନ ନିଗମ ଅଧିନରେ ଦୀର୍ଘ ୨୫/୩୦ ବର୍ଷ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀମାନଙ୍କୁ ଇପିଏଫ୍ -୧୯୯୫ ପେନସନ ଯୋଜନାରେ ମାସିକ ମାତ୍ର ଏକ ହଜାର ଟଙ୍କା କିମ୍ବା ଏକ ହଜାରରୁ କମ୍ ପରିମାଣର ପେନସନ ଦିଆଯାଉଛି ବୋଲି ସେମାନେ ଦର୍ଶାଇଛନ୍ତି । ଉଚ୍ଚ ବେତନହାରରେ ଦରମା ପାଇଥିବା ଇଂଜିନିୟରମାନେ ମାସକୁ ସର୍ବାଧିକ ୫ ହଜାର ଟଙ୍କା ମଧ୍ୟ ପେନସନ ପାଉନାହାନ୍ତି । ଓଡ଼ିଶା ଉଠାଜଳସେଚନ ନିଗମରେ ପ୍ରାୟ ସାତହଜାର କର୍ମଚାରୀ ଅବସର ପରେ ଏବେ ଦୁର୍ଦ୍ଦଶା ତଥା ଆର୍ଥିକ ଅନାଟନରେ କାଳାତିପାତ କରୁଛନ୍ତି ବୋଲି ସେମାନ କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ସ୍ମାରକପତ୍ରରେ ମାସିକ ସର୍ବନିମ୍ନ ୯ହଜାର ଟଙ୍କା ପେନସନ, ଉଚ୍ଚ ବେତନ ହାରରେ ଅଧିକ ପେନସନ ସହ ମହଙ୍ଗାଭତ୍ତା ଓ ସମସ୍ତ ଇପିଏଫ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା, ସରକାରୀ ଯୋଜନାରେ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ‘କର୍ମଚାରୀ ଭବିଷ୍ୟନିଧି ପାଣ୍ଠି’ କର୍ତ୍ତୃପକ୍ଷ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ବରିଷ୍ଠ ନାଗରିକମାନେ ନିବେଦନ କରିଛନ୍ତି । ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ଅବସର କର୍ମଚାରୀଙ୍କ ପ୍ରତିନିଧି ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ଦଳାଇ, ମନ୍ମଥ ପରିଡ଼ା, ପୁରସ୍ତମ ବେହେରା, ଭଗବାନ ମାଝୀଙ୍କ ସମେତ ଇପିଏଫ ପେନସନର୍ସ ଆସୋସିଏସନ୍‌ର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା ଓ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ