କେନ୍ଦ୍ରାପଡାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବାର ବେଗ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଜଳାତଙ୍କ ରୋଗରେ ଆକ୍ରାନ୍ତ ହେଲେ ମୃତ୍ୟୁ ସୁନିଶ୍ଚିନ୍ତ ବୋଲି ମତବ୍ୟକ୍ତ କରିଥିଲେ । ଏହା କୁକୁର, ବିରାଡି ଆଦି ଗୃହ ପାଳିତ ପଶୁ ଓ ବିଲୁଆ, ନେଉଳ, ବାଦୁଡି ଆଦି ଜଙ୍ଗଲି ପ୍ରାଣୀଙ୍କୁ ମୁଖ୍ୟତଃ ସଂକ୍ରମଣ କରୁଥିବା ଏକ ଭୂତାଣୁ ଜନିତ ରୋଗ । ସଂକ୍ରମିତ ପ୍ରାଣୀ ମନୁଷ୍ୟକୁ କାମୁଡିଲେ କିମ୍ବା ମନୁଷ୍ୟ ସେମାନଙ୍କର ଲାଳ ସଂସ୍ପର୍ଶରେ ଆସିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଆକ୍ରାନ୍ତ ପ୍ରାଣୀ ମନୁଷ୍ୟକୁ କାମୁଡିଲେ କ୍ଷତସ୍ଥାନରୁ ପ୍ରବାହୀ ଜଳରେ ଧୋଇ ଜଳାତଙ୍କ ଟୀକା ପ୍ରଦାନ କରିବା ସହ ସୁରକ୍ଷିତ ଚିକିତ୍ସା ପ୍ରଦାନ ନିମନ୍ତେ ମୁଖ୍ୟ ଚିକିତ୍ସାଳୟ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରିବା ନିମନ୍ତେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ନିଶ୍ଚେତକ ବିଶେଷଜ୍ଞ ଡା. ନୃପେନ ଶତପଥୀ ମତବ୍ୟକ୍ତ କରିଥିଲେ । ଜଳାତଙ୍କ ଟୀକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ସମୟୋଚିତ ପଦକ୍ଷେପ ଓ ଟୀକା ପ୍ରଦାନ କରି ରୋଗୀକୁ ଆଶୁ ଆରୋଗ୍ୟ ପ୍ରଦାନ କରାଯାଇପାରେ ବୋଲି ଆଶାକର୍ମୀ ଓ ସ୍ୱାସ୍ôଥ୍ୟ କର୍ମୀମାନଙ୍କୁ ଜନସଚେତନତା ସୃଷ୍ଟି କରିବା ପାଇଁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ ଡା. ମିଶ୍ର । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ପ୍ରଥମେ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଶିଶୁ ସ୍ୱାସ୍ଥ୍ୟ ଉପ ପରିଚାଳକ କୃଷ୍ଣଚନ୍ଦ୍ର ଲୋହା, ନିଶ୍ଚେତକ ବିଶେଷଜ୍ଞ ଡା. ନୃପେନ ଶତପଥୀ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞ ଡା. ଅଶୋକ କୁମାର କର, ନର୍ସିଂ କଲେଜ ଅଧ୍ୟକ୍ଷା ଭାରତୀ ସ୍ୱାଇଁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଅଧିକାରୀ, ଷ୍ଟାପନର୍ସ, ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ନର୍ସିଂ କଲେଜର ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ